ppurohit

ଜନସେବୀ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ୧୦୬ତମ ଜୟନ୍ତୀ ସମାରୋହ : ‘ସାଂପ୍ରତିକ ଶିକ୍ଷା ଓ ସାମାଜିକ ଉତ୍ତର ଦାୟିତ୍ୱ’ ଶୀର୍ଷକରେ ସ୍ମାରକୀ ବକ୍ତୃତା

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଶିକ୍ଷା ବ୍ୟବସ୍ଥା ଜୀବିକା ପାଇଁ । ସମାଜ ଉପଯୋଗୀ ଶିକ୍ଷା ବ୍ୟବସ୍ଥା ଲାଗୁ ନହେଲେ ସାମାଜିକ ଦୁଃସ୍ଥିତିରୁ ଆମେ ମୁକୁଳି ପାରିବା ନାହିଁ । ଏଣୁ ଆମର ଆଗାମୀକୁ ସୁନ୍ଦର କରିବାକୁ ହେଲେ ଉତ୍ତର ଦାୟିତ୍ୱ ନିଜେ ନେବାକୁ ପଡିବ । ଶିକ୍ଷା ହିଁ ଆମକୁ ସେ ଦିଗରେ ଅଗ୍ରସର ହେବାକୁ ସାମର୍ଥ୍ୟ ଦେବ ବୋଲି ମତ ଦେଇଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳ ସଚିବ ଡ. ନୃପରାଜ ସାହୁ । ଜିଲ୍ଲା ସାମ୍ବାଦିକ ସଂଘ ଓ କୃଷ୍ଣଚନ୍ଦ୍ର ପଣ୍ଡା ସ୍ମୃତି କମିଟିର ମିଳିତ ସହଯୋଗରେ ସ୍ଥାନୀୟ ସାମ୍ବାଦିକ ଭବନରେ ଜନସେବୀ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ୧୦୬ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ‘ସାଂପ୍ରତିକ ଶିକ୍ଷା ଓ ସାମାଜିକ ଉତ୍ତର ଦାୟିତ୍ୱ’ ଶୀର୍ଷକରେ ସ୍ମାରକୀ ବକ୍ତୃତା ଆୟୋଜିତ ହୋଇଯାଇଛି ।

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ଉପ-ସଭାପତି ଆନଂଦ ଚଂଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଉଦ୍‌ଘାଟକ ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳ ସଚିବ ଡ. ନୃପରାଜ ସାହୁ ଯୋଗଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏବଂ ମୁଖ୍ୟବକ୍ତା ଭାବେ ଆଇଆଇପିଏ.ର ସହକାରୀ ପ୍ରାଧ୍ୟାପକ ଡ. ସୁଜିତ କୁମାର ପୃଷେଠ୍‌ ଯୋଗ ଦେଇଥିଲେ । ସଂଘର ସଭାପତି ହରିନାରାୟଣ ପୂଜାରୀ ଏବଂ ସାଧାରଣ ସଂପାଦକ ବଳରାମ ମିଶ୍ର ଅତିଥିମାନଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସ୍ମୃତିଚାରଣ କରି ଉଦ୍‌ଘାଟକ ଡ. ସାହୁ ପୌରାଣିକ କଥାବସ୍ତୁ ଆଧାରରେ ସାଂପ୍ରତିକ ଶିକ୍ଷା ଓ ସାମାଜିକ ଉତ୍ତର ଦାୟିତ୍ୱ ସଂପର୍କରେ ଆଲୋଚନା କରିଥିଲେ ।

ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଶିକ୍ଷା ବ୍ୟବସ୍ଥା ପ୍ରତି ରହିଥିବା ସାମାଜିକ ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିବା ସହ ନିଜ ବକ୍ତବ୍ୟରେ ସ୍ୱର୍ଗତ ପଣ୍ଡାଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ସହକାରୀ ପ୍ରାଧ୍ୟାପକ ଡ. ପୃଷେଠ୍‌ ଭାରତୀୟ ଶିକ୍ଷା ଆଦର୍ଶ ସଂପର୍କରେ ଆଲୋଚନା କରି ଆଗାମୀ ସମୟରେ ଶିକ୍ଷାର ରୂପରେଖ ଓ ଆମ ସମସ୍ତଙ୍କ ଏଥିପ୍ରତି ରହିଥିବା ଦାୟିତ୍ୱ ସଂପର୍କରେ ବିଷଦ୍‌ ଭାବରେ ଆଲୋକପାତ କରିଥିଲେ । ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର ମଂଚ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସନ୍ଦୀପ କୁମାର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.