କୃଷି ଓଡିଶା-୨୦୨୩ ଉଦ୍‌ଘାଟିତ

  • କୃଷି ଯାନ୍ତ୍ରିକୀକରଣ, ଚାଷୀମାନଙ୍କ ରୋଜଗାର ବୃଦ୍ଧି ଉପରେ
    ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ
  • ଟେକ୍‌ନୋଲୋଜି ହେଉଛି ବିକାଶର ଆଧାର
  • ନୂଆ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରିବାକୁ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ କୃଷକମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେସନ ଓ ଫସଲ ବିବିଧତା ଉପରେ ଗୁରୁତ୍ବ ଆରୋପ କରି ଚାଷୀମାନଙ୍କୁ ନୂଆ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରିବା ସହିତ ଅଧିକ ପରିମାଣରେ ଅଣଧାନ ଅର୍ଥକାରୀ ଫସଲ ଚାଷ କରିବା ପାଇଁ ପରାମର୍ଶ ଦେଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ କୃଷି ଓଡିଶା-୨୦୨୩ ଆଜି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଟେକ୍‌ନୋଲୋଜି ହେଉଛି ବିକାଶର ଆଧାର । କୃଷି କ୍ଷେତ୍ରରେ ମଧ୍ୟ ଟେକ୍‌ନୋଲୋଜିର ବହୁତ ଆବଶ୍ୟକତା ରହିଛି । ଏ ବର୍ଷ ମେଳାରେ କୃଷି କ୍ଷେତ୍ରରେ ନୂଆ ଟେକ୍‌ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ । ଚାଷୀମାନେ ସମସ୍ତେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବେ, ବ୍ୟବହାର କରିବେ ଏବଂ କୃଷି କ୍ଷେତ୍ରରେ ସଫଳ ହୋଇ ନିଜର ଓ ନିଜ ରାଜ୍ୟର ଉନ୍ନତିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, କୃଷି ଓ କୃଷକମାନଙ୍କ ଉନ୍ନତି ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ । କୃଷି କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ହୋଇପାରିଛି । ଖାଦ୍ୟରେ ଅଭାବ ଥିବା ଏକ ରାଜ୍ୟରୁ ଆଜି ଆମେ ଖାଦ୍ୟଶସ୍ୟରେ ଏକ ବଳକା ରାଜ୍ୟ ହୋଇ ସାରା ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇ ପାରୁଛୁ ବୋଲି ସେ କହିଥିଲେ । କାଳିଆ ଯୋଜନା ଦ୍ବାରା ଚାଷୀ ମାନଙ୍କୁ ରୋଜଗାର ସୁରକ୍ଷା ମିଳିପାରିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ଫାର୍ମ ମେକାନାଇଜେସନ ଉପରେ ଗୁରୁତ୍ବ ଦିଆଯାଇ ଫସଲ ଉତ୍ପାଦକତା ବଢାଇବା ପାଇଁ ଉଦ୍ୟମ ଜାରି ରହିଛି । ପଣସ ମିଶନ, ଛତୁ ମିଶନ ଆଦି ସ୍ବତନ୍ତ୍ର ମିଶନ ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୁଷ୍ଟି ନିରାପତ୍ତା ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଆମର ମିଲେଟ ମିଶନ ଆଜି ସାରା ଦେଶ ଓ ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ମତଦେଇ ସେ କହିଥିଲେ ଯେ, ଏହା ଆମର ମିଶନ ଶକ୍ତି ମା’ମାନଙ୍କର ରୋଜଗାର ବଢାଇବାରେ ମଧ୍ୟ ସହାୟକ ହୋଇପାରିଛି ।

‘କୃଷି ଓଡିଶା’ରେ ଉପସ୍ଥିତ ଥିବା WFP, IFAD ଏବଂ FAO ପରି ସଂସ୍ଥାର ପ୍ରତିନିଧି ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ସେମାନଙ୍କ ନିରନ୍ତର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର ଅଭିଭାଷଣ ରଖି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି ବିଭାଗ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । କୃଷକମାନଙ୍କ ଆୟବୃଦ୍ଧିରେ କୃଷି ଆନୁସଂଗିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ମାଛ, ମାଂସ, ଅଣ୍ଡା ଓ ଦୁଗ୍‌ଧ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରିବା ସହିତ ଚାଷୀ ମାନଙ୍କ ରୋଜଗାର ମଧ୍ୟ ବୃଦ୍ଧି କରାଯାଇପାରିଛି ବୋଲି ସେ କହିଥିଲେ ।

ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିକାଶ ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.