jayashree

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ସାମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା-ସାମାରୋହ ଉଦ୍‌ଯାପିତ ହୋଇଯାଇଛି । ଛତ୍ରପୁର ଷ୍ଟାଡିୟମଠାରେ ଆୟୋଜିତ ଏହି ସାମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କ୍ରୀଡା ସଂସଦର ସଭାପତି ଡଃ.ପ୍ରମୋଦ କୁମାର ତ୍ରିପାଠୀ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଖେଳପ୍ରେମୀ ଛାତ୍ରଛାତ୍ରୀଙ୍କୁ ତଥା ବିଭିନ୍ନ କ୍ରୀଡ଼ା-ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ଖେଳକୁଦରେ ଯୁକ୍ତଦୁଇ, ଯୁକ୍ତତିନି ଓ ସ୍ନାତକୋତ୍ତର ବିଭାଗର ଉଭୟ ମହିଳା ଓ ପୁରୁଷ ବର୍ଗ ମଧ୍ୟରୁ ପ୍ରାୟ ଦୁଇ ଶହରୁ ଅଧିକ ପ୍ରତିଯୋଗୀମାନେ ଯୋଗଦାନ କରିଥିଲେ । ମହାବିଦ୍ୟାଳୟର କ୍ରୀଡ଼ା ସଂସଦର ଉପସଭାପତି ଡ. ଅଜିତ କୁମାର ସେଠୀ, କ୍ରୀଡା ଉତ୍ସବଟିକୁ ପରିଚାଳନା କରିଥିଲେ । ଏହି ଅବସରରେ ଛତ୍ରପୁର ନିକଟସ୍ଥ ବିଭିନ୍ନ ସରକାରୀ ଉଚ୍ଚବିଦ୍ୟାଳୟର କ୍ରୀଡା ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଆଗେଇ ନେବାରେ ସହଯୋଗ କରିଥିଲେ । ମହାବିଦ୍ୟାଳୟ ବିଭିନ୍ନ ବିଭାଗର ସହକର୍ମୀମାନେ ଯୋଗଦେଇ ଏହି କ୍ରୀଡା ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ । କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାବେଶରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କିଶୋର କୁମାର ବେହେରା ମୁଖ୍ୟଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଏବଂ କ୍ରୀଡା-ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଶେଷରେ କୃତି ପ୍ରତିଯୋଗୀ ଓ ଶ୍ରେଷ୍ଠ ଖେଳାଳୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଯୁକ୍ତ ତିନି ବିଭାଗର ଚାମ୍ପିୟାନମାନେ ହେଲେ ଛାତ୍ର ୱାଈ.ମୋହନ ପ୍ରସାଦ ରେଡି ଏବଂ ଛାତ୍ରୀ ଡି.ମୋହିନି ରେଡ୍ଡୀ ଏବଂ ଯୁକ୍ତ ଦୁଇ ବିଭାଗର ଚାମ୍ପିୟନମାନେ ହେଲେ ଛାତ୍ର ପ୍ରସାଦ ନାୟକ ଏବଂ ଛାତ୍ରୀ ସନ୍ତୋଷୀ ନାୟକ । ପରିଶେଷରେ ମହାବିଦ୍ୟାଳୟର କ୍ରୀଡ଼ା ସଂସଦର ସହକାରୀ ଉପସଭାପତି ବିଷ୍ଣୁ ଚରଣ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.