jayashree

ଯୁଆନ୍‌ ପୁଅର ମା’ଙ୍କ ବିକଳ କ୍ରନ୍ଦନରେ ଫାଟି ପଡ଼ୁଛି ବଲାଙ୍ଗିର କଚେରି ଛକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦାଦନ ଖଟି ଯାଇ ମୃତ୍ୟୁବରଣ କରିଥିବା ଯୁଆନ୍‌ ପୁଅର ମା’ଙ୍କ ବିକଳ କ୍ରନ୍ଦନରେ ଫାଟି ପଡ଼ୁଛି ବଲାଙ୍ଗିର କଚେରି ଛକ । ମୁରିବାହାଲ ଥାନା ଅଧୀନସ୍ଥ ସାନ୍‌ଝର୍‌ବାହାଲି ଗାଁର ବିଧବା ମା’ ପଦ୍ମା ସେଠଙ୍କ ପୁଅ ମୈତ୍ର ସେଠ(୨୫) ଗତ ଦଶହରା ମାସରେ ତେଲେଙ୍ଗାନାକୁ ଦାଦନ ଶ୍ରମିକ ଭାବେ ଯାଇଥିଲେ । ଗତ କାର୍ତ୍ତିକ ପୂର୍ଣ୍ଣମା ଦିନଠାରୁ ମା’ ସହ ଆଉ ମୈତ୍ରଙ୍କ ଯୋଗାଯୋଗ ହୋଇ ନଥିଲା । ଏହାପରେ ବିଧବା ମା’ ଦାଦନ ସର୍ଦ୍ଦାର ପାଖକୁ ଯାଇ ପୁଅକୁ ଖୋଜି ଆଣି ଦେବାକୁ ନେହୁରା ହୋଇଥିଲେ ବି କିଛି ସୁଫଳ ମିଳିନଥିଲା । ପୁଣି ତେଲେଙ୍ଗାନାର ଇଟାଭାଟି ପାଖରୁ ମୈତ୍ରଙ୍କ ଦରପୋଡ଼ା ମୃତ ଦେହ ମିଳିଥିଲା । ଏବେ ନିରୁପାୟ ମା’ ପରିବାର ପରିଜନଙ୍କ ସହ ନ୍ୟାୟ ପାଇଁ ନିଜ ଗାଁରୁ ଦୀର୍ଘ ୭୦ କିଲୋମିଟର ପଦଯାତ୍ରା କରି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ନ୍ୟାୟ ଭିକ୍ଷା କରୁଥିବା ଦୃଶ୍ୟ ସାରା ସହରକୁ ସ୍ତବ୍ଧ କରି ପକାଇଛି । କେଏମ୍‌ଏମ୍‌, ଡବ୍ଲ୍ୟୁୱାଇଏମ୍‌, ଗରିବ ସେନାର ସଦସ୍ୟମାନଙ୍କ ସହ ଅନେକ ସମାଜସେବୀ ଓ କୋଶଲବାଦୀ ନେତୃବର୍ଗ ମୈତ୍ରଙ୍କ ନ୍ୟାୟ ଦାବୀରେ ମୈତ୍ରଙ୍କ ପରିବାରବର୍ଗଙ୍କ ସହ ସାମିଲ୍‌ ରହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.