ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ କର୍ମଚାରୀ ମାନଙ୍କ ପାଇଁ ପୋଲିସ ହାଉସିଂ ବୋର୍ଡ ତରଫରୁ ଚାରି ମହଲା ବିଶିଷ୍ଟ କୋଠା ନିର୍ମାଣ ଚାଲିଛି । ହେଲେ ବିଭାଗୀୟ ଯନ୍ତ୍ରୀଙ୍କ ଉପଯୁକ୍ତ ତଦାରଖ ଅଭାବରୁ ଶ୍ରମିକ ମାନେ ବିପଦ ସଙ୍କୁଳ ଅବସ୍ଥାରେ ବିନା ସୁରକ୍ଷା ଉପକରଣ ବିନା କାମ କରୁଥିବା ଦେଖାଯାଇଛି । ସରକାରୀ ନିୟମ ଅନୁସାରେ ହେଲମେଟ, ସୁରକ୍ଷା କିଟ୍, ଆଦି ପିନ୍ଧିବା ସହିତ ସୁରକ୍ଷିତ ଭାବରେ କାମ କରିବା କଥା । ହେଲେ ଏହି କୋଠା ତିଆରି କାମରେ ସବୁ ନୀତିନିୟମକୁ ଫୁ କରି ଚାଲିଛି । ଯାହାଫଳରେ ନିର୍ମାଣାଧୀନ କୋଠା ଉପରୁ କାମ କଲା ବେଳେ ଜଣେ ରାଜମିସ୍ତ୍ରୀ ଉପରୁ ପଡ଼ି ଶନିବାର ଗୁରୁତର ହୋଇଥିବା ଜଣାଯାଇଛି । ଏନେଇ ବିଭାଗୀୟ ଯନ୍ତ୍ରୀ ଅର୍ଜୁନ ସିଂଙ୍କୁ ପଚାରିବାରୁ ତାଙ୍କ ପାଖରେ ସଠିକ୍ ଖବର ନ ଥିବା ବେଳେ ବୁଝିକି କହିବି ବୋଲି କହିଛନ୍ତି । ସେହିପରି ଥାନା ଅଧିକାରୀ ନରେନ୍ଦ୍ର ଛତ୍ରଙ୍କୁ ପଚାରିବାରୁ ତାଙ୍କ ପାଖରେ ଖବର ନ ଥିବା କହିଥିଲେ । ହେଲେ ରାଜମିସ୍ତ୍ରୀ ଜଣକ ଗୁରୁତର ଥିବାରୁ ଖପ୍ରାଖୋଲ ଡାକ୍ତର ଖାନାରୁ ପ୍ରାଥମିକ ଚିକିତ୍ସା ପରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତର ଖାନାକୁ ଏବଂ ପରେ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।
Next Post