jayashree

କୋସଲି ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦିଆଯାଉ : କୋସଲି ଭାଷା ସୁରକ୍ଷା ସମିତି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କୋସଲି ଭାଷା ପଶ୍ଚିମ ଓଡିଶାର ବହୁଳ ବ୍ୟବହାରିକ ଭାଷା । ପ୍ରାୟ ଦେଢକୋଟିରୁ ଅଧିକ ଲୋକ ଏହି ଭାଷାକୁ ହଜାର ହଜାର ବର୍ଷ ଧରି ବ୍ୟବହାର କରି ଆସୁଥିବାରୁ ଏହି ଭାଷାର ସାଂସ୍କୃତିକ ଓ ବୌଦ୍ଧିକ ମୂଲ୍ୟବୋଧ ଉଚ୍ଚ କୋଟୀର ଅଟେ । ଚଳିତ ତିନି ଦଶନ୍ଧିରୁ ଏହି ଭାଷାର ଲିଖିତ ରୂପ ପ୍ରକାଶିତ ହୋଇ ଆସୁଅଛି । ହଜାର ସଂଖ୍ୟାରେ ବହୁ ମୂଲ୍ୟବାନ ପୁସ୍ତକ ପ୍ରକାଶିତ ହୋଇଛି । କୋସଲି ଭାଷାର କବି ଓ ଲେଖକମାନଙ୍କୁ ରାଜ୍ୟ ଓ ଜାତୀୟସ୍ତରୀୟ ପୁରସ୍କାର ମଧ୍ୟ ମିଳିଛି । ପ୍ରକୃତରେ କହିବାକୁ ଗଲେ ଏହା ଭୌଗଳିକ, ଐତିହାସିକ, ପୌରାଣିକ ଓ ଲୋକଭାଷାର ସମସ୍ତ ଗାରିମା ବହନ କରିଛି । କୋସଲି କେବଳ ଗୋଟିଏ ଭାଷାର ନାଆଁ ନୁହେଁ, ଏହା ଗୋଟିଏ ସାମଗ୍ରିକ ଚେତନା, ଏକତାର ଭାବନା, ଅଖଣ୍ଡତାର ପରିଭାଷା, ଗୋଟିଏ ଜାତିର ଅସ୍ମିତା, ଗୌରବ, ହକ୍ ଅଧିକାର, ମହାନତା ସହ ଗୋଟିଏ ଚେତନା ଅଟେ । ଏହାର ସାମ୍ବିଧାନିକ ସ୍ୱୀକୃତି ପାଇଁ ବହୁତ ଲୋକ ଅପେକ୍ଷାରେ ଅଛନ୍ତି, ସଂପ୍ରତି ସ୍ଵୀକୃତି ପାଇବା ଧାଡ଼ିରେ ଥାଇ ସଉରା ଭାଷାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହାସହ ଦୀର୍ଘ ବର୍ଷ ଧରି କୋସଲି ଭାଷାର ସାମ୍ବିଧାନିକ ସ୍ବୀକୃତି ପାଇଁ ଜାତୀୟ ସ୍ତରରେ ‘କ୍ଲିଅର’ ଏବଂ ଆମର କୋସଲି ଭାସା ସୁରକ୍ଷା ସମିତି ଟିଟିଲାଗଡ ଏବଂ ଅନେକ ଅନୁଷ୍ଠାନ ଦାବୀ ଜଣାଇ ଆସୁଥିବା ସତ୍ତ୍ୱେ ସରକାର ଆମର ଦାବୀକୁ ଅଣଦେଖା କରୁଛି ବୋଲି ଅଭିଯୋଗ କରିଥିଲେ କୋସଲି ଭାଷା ସୁରକ୍ଷା ସମିତିର ସଦସ୍ୟ ମାନେ ।

ଦିଲ୍ଲୀ, ଭୁବନେଶ୍ବର ତଥା ଆଞ୍ଚଳିକ କ୍ଷେତ୍ରରେ ଏ ବାବଦ ନେଇ ସଭା ସମିତି ମଧ୍ୟ କରିଆସୁଛନ୍ତି । ଜାତୀୟ ସ୍ତରର କନଭେନସନ କରି ଦେଶର କୋଣ ଅନୁକୋଣରୁ ଆସିଥିବା ଅତିଥିମାନେ ମଧ୍ୟ କୋସଲି ଭାଷାକୁ ସ୍ଵୀକୃତି ପ୍ରଦାନ କରାଯାଉ ବୋଲି ସେମାନେ ବି ସ୍ୱର ଉତ୍ତୋଳନ କରିଥିଲେ । ଏ ସମ୍ବନ୍ଧରେ ସାଂସଦମାନଙ୍କୁ ଦାବୀପତ୍ର ଦେଇଛୁ କିନ୍ତୁ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏ ଭାଷା ପ୍ରତି କୋଣସି ପଦକ୍ଷେପ ନେଇ ନାହାନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଭା ଗୃହରେ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତା ଏକ ମିଳିତ ବିବୃତିରେ ସରକାର କୋସଲି ଭାଷାକୁ ଶୀଘ୍ର ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ୍ କରିବା ପାଇଁ ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଦିଲିପ କୁମାର ପଶାୟତ, ଅଧ୍ୟକ୍ଷ ଭିକାରି ଚରଣ ମିଶ୍ର, ଉପଦେଷ୍ଟା ନୀଳମଣି ସାହୁ, ସେବକ ଚରଣ ଦାସ, ଜ୍ୟୋତି ପ୍ରକାଶ ଗଡତିଆ, ଘୀନୁ ଆଡଜୁଆଡ, ହେମେନ୍ଦ୍ର ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.