‘କୋଶଳ ପ୍ରବାହ’ର ପ୍ରଭାବ : ବିଳାସିନୀଙ୍କ ଟ୍ୱିଟ୍‌ ପରେ ଅସହାୟ ପରିବାର ପାଇଲେ ସହାୟତା

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ପଞ୍ଚାୟତ ବାବେଘାଟି ଗାଁରେ ଦେଖିବାକୁ ମିଳୁଛି ଏକ ଦୁଃଖଦ ଘଟଣା । କରୋନା କାଳରେ କାମଧନ୍ଦା ଅଭାବରୁ ବାବେଘାଟି ଗାଁର ଦିଗବଳ ଅଦା ନିଜର ସ୍ତ୍ରୀ ପ୍ରିୟତମାଙ୍କ ସହ ମିଶି ଗତ ଡିସେମ୍ବର ମାସରେ ଆନ୍ଧ୍ରାକୁ କାମ କରିବାକୁ ଯାଇଥିଲେ । ସେଠାରେ ନାଲଗଣ୍ଡାର ଏକ ଇଟା ଭାଟିରେ ନିୟୋଜିତ ହୋଇଥିଲେ । ଦିନେ ଟ୍ରାକ୍ଟରରେ କାମ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଆର୍ଥିକ ଅବସ୍ଥା ଠିକ ନଥିବାରୁ ଗାଁକୁ ତାଙ୍କର ଶବ ଆସିପାରିନଥିଲା । ସେଠାରେ ହିଁ ତାଙ୍କର ଶବ ସତ୍କାର ହୋଇଥିଲା । ଫଳରେ ଖାଲି ହାତରେ ଘରକୁ ଫେରିଥିଲେ ପ୍ରିୟତମା । ଘରେ ତାଙ୍କର ଚାରି ଛୁଆ ରହୁଛନ୍ତି । ପରିବାରରେ କେହି ରୋଜଗାରକ୍ଷମ ନଥିବାରୁ ଭୋକ ଉପାସରେ ରହୁଥିବା ଖବର କିଛିଦିନ ତଳେ ‘କୋଶଳ ପ୍ରବାହ’ରେ ପ୍ରକାଶିତ ହୋଇଥିଲା । ଏହି ଖବରକୁ ବଲାଙ୍ଗିର ଜିଲ୍ଲାର ସ୍ୱେଛାସେବୀ ବିଳାସିନୀ ରଣା ଟ୍ୱିଟର ମାଧ୍ୟମରେରେ ନୂଆପଡା ଜିଲ୍ଲାପାଳ, ମନ୍ତ୍ରୀ ଟୁକୁନି ସାହୁ, ନୂଆପଡା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ନୂଆପଡା ଜିଲ୍ଲା ପ୍ରସାଶନ ଏହାର ଏକ ତଦନ୍ତ କରିଥିଲେ । ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ସାର୍ଟିଫିକେଟ ମିଳିଲା ପରେ ପ୍ରିୟତମାଙ୍କୁ ଭତ୍ତା ପ୍ରଦାନ କରାଯିବ ଏବଂ ସେହିପରି ତାଙ୍କର ପାରିବାରକୁ ମାସିକ ୨୫ କି.ଗ୍ରା ଚାଉଳ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ତାଙ୍କୁ ଆବାସ ଯୋଜନାରେ ସାମିଲ୍‌ କରି ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଘର ମଧ୍ୟ ଯୋଗାଇ ଦେବେ ବୋଲି କୋମନା ବି.ଡି.ଓ. ଜଣାଇଛନ୍ତି । ଏହି ଖବର ପାଇ ତାଙ୍କ ପରିବାର ଖୁସି ହୋଇଛନ୍ତି ଓ ସମାଜସେବୀ ବିଳାସିନୀ ରଣା ଓ ‘କୋଶଳ ପ୍ରବାହ’କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.