jayashree

‘କୋଶଳ ପ୍ରବାହ’ର ପ୍ରଭାବ : ଯଶୋବନ୍ତଙ୍କ ଟ୍ୱିଟ୍‌ ପରେ ଗାଁକୁ ପହଁଚିଲା ମେଡିକାଲ ଟିମ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଭାଲୁଚୁଆଁ ଗାଁ ଦିବ୍ୟାଙ୍ଗ ମାନଙ୍କ ଗନ୍ଥା ଘର ପାଲିଟିଛି । ଏହି ଗାଁରେ ୧୯ରୁ ଅଧିକ ଶିଶୁ ଦିବ୍ୟାଙ୍ଗ ଅଟନ୍ତି । କଣ ପାଇଁ ଏତେ ସଂଖ୍ୟକ ଶିଶୁ ବିକଳାଙ୍ଗ ପାଲିଟି ଯାଇଛନ୍ତି ତାହା ସମସ୍ତଙ୍କୁ ଅଜଣା । ଏହି ଦିବ୍ୟାଙ୍ଗ ମାନଙ୍କ ବୟସ ୧୦ ବର୍ଷରୁ କମ୍‌ । କିଏ ଠିକ ସେ ଦେଖି ପାରୁନି ତ କିଏ କହିପାରୁନି । ସେହିପରି ଅନେକଙ୍କ ଗୋଡ, ହାତ ବଙ୍କାଥିବାରୁ ଠିକ ସେ ଚାଲି ମଧ୍ୟ ପାରୁନି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା ଗାଁର ଗୋଟିଏ ପଡ଼ାରେ ୧୫ରୁ ଅଧିକ ଶିଶୁ ବିକଳାଙ୍ଗ ହୋଇଛନ୍ତି । ଏଠାକାର ଶିଶୁ ଅନେକ ସମସ୍ୟା ସହ ଯୁଝୁଥିବା ଖବର ସେଠାକାର ସ୍ୱେଛାସେବୀ ରାହୁଲ ତାଣ୍ଡି ଫୋନ ଯୋଗେ ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣାଇଥିଲେ । ପରେ ‘କୋଶଳ ପ୍ରବାହ’ରେ ପ୍ରକାଶିତ ହୋଇଥିଲା । ଏହି ଖବରକୁ ସମାଜସେବୀ ଯଶୋବନ୍ତ ରଣା କଳାହାଣ୍ଡି ଜିଲ୍ଲାପାଳ, ସ୍ୱାସ୍ଥ୍ୟ ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଭିଯୋଗ ପାଇ ଏହି ଗାଁକୁ ଏକ ଡାକ୍ତରୀ ଦଳ ପହଞ୍ଚି ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ବସ୍ତା ଯାଞ୍ଚ କରିଥିଲେ । ଯାଞ୍ଚ କରି ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ମେଡ଼ିସିନ ଦେଇଥିଲେ । ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏକ ପ୍ରତିନିଧି ଦଳ ପହଞ୍ଚି ପିଲାମାନଙ୍କ ଭତ୍ତାର ବ୍ୟବସ୍ଥା କରି କିଛି ପିଲାଙ୍କୁ ଭତ୍ତା ପ୍ରଦାନ କରିଥିଲେ । ଆଉ ତିନି ଜଣଙ୍କ ଭତ୍ତା ପାଇଁ ରାଜ୍ୟ ସ୍ତରକୁ ପଠାଯାଇଥିବା ସୂଚନା ଦେଇଛନ୍ତି । ଗାଁକୁ ମେଡିକାଲ ଟିମ ପହଞ୍ଚି ଶିଶୁ ମାନଙ୍କ ମେଡିକାଲ ଟେଷ୍ଟ କରିଥିବାରୁ ସମସ୍ତେ ଖୁସି ହୋଇ ସମାଜସେବୀ ଯଶୋବନ୍ତ ରଣା ଓ ‘କୋଶଳ ପ୍ରବାହ’କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.