
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ମିନି-ଷ୍ଟାଡିୟମ ଠାରେ ସମସ୍ତ ସ୍କୁଲକୁ ନେଇ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୁପେ ଛତ୍ରପୁରବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଦୀପ ପ୍ରଜ୍ଵଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସର୍ବୋପରି ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବକୁ ଶୁଭାରମ୍ଭ କରିଥିଲେ । ସୂଚନା ଥାଉକି, ଛତ୍ରପୁର ବ୍ଲକର ସମସ୍ତ ସ୍କୁଲକୁ ନେଇ ୪ ଟି ଜୋନାଲ୍ ରେ ବିଭକ୍ତ କରି ଗତ ୨୫ ତାରିଖରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁମାନେ ସେଥିରେ କୃତକାର୍ଯ୍ୟ ହୋଇଥିଲେ, ତାଙ୍କୁ ନେଇ ବୁଧବାର ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଛି । ଏହି ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଛତ୍ରପୁର ବ୍ଲକର ୩୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ଆଜିର ଉକ୍ତ କ୍ରୀଡା ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ତଥା କବାଡି, ଖୋ ଖୋ, କ୍ରିକେଟ, ଦୌଡ଼, ଭଳିବଲ୍, ଫୁଟବଲ ଆଦି ପ୍ରତିଯୋଗିତା ହୋଇଥିଲା । ଆଗାମୀ ସେପ୍ଟମ୍ବର ୧୫ ତାରିଖରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅୟୋଜନ କରାଯିବ ବୋଲି ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅନୁସ୍ଲୋ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ, ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।