ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା : ଗାଡ଼ିରେ ସାଂସଦଙ୍କ ଉପସ୍ଥିତି ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ ସାମ୍ବାଦିକ ସମ୍ମିଳନୀରେ ଖୁଲାସା

ପାଟଣାଗଡ, (ଅଶୋକ କୁମାର ବାଗ) : ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ଗାଡ଼ିରେ ସାଂସଦଙ୍କ ଉପସ୍ଥିତିକୁ ନେଇ ଏବେ ବି ଚର୍ଚ୍ଚା ଥମି ନଥିବା ବେଳେ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଖୋଲମ୍‌ ଖୋଲା ଖୁଲାସା କରିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ । ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆଁ ଛକରେ ଗତ ମଇ ୨୪ ତାରିଖ ଦିନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡି ଧକ୍କାରେ ଇନ୍ଦ୍‌ପୁର ଗାଁର ଟଙ୍କଧର ବିଶ୍ଵାଳଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ସାଂସଦଙ୍କ ଗାଡି ସହ ଡ୍ରାଇଭର ଲରମ୍ଭା ଥାନାରେ ଆତ୍ମସମର୍ପଣ କରିଥିଲେ । ରାଜ୍ୟସଭା ସାଂସଦ କୌଶଳକ୍ରମେ ଘଟଣା ସ୍ଥଳରୁ ସେହି ରାସ୍ତା ଦେଇ ଏକ ବାଇକ୍‌ରେ ପାଟଣାଗଡ଼କୁ ଯାଉଥିବା ଲରମ୍ଭା ଥାନା ତମିଆଁ ଗାଁର ପ୍ରମୋଦ ବେହେରାଙ୍କ ସହଯୋଗରେ ଘଟଣାସ୍ଥଳରୁ ସେଦିନ ଫେରାର୍‌ ହେବାରେ ସଫଳ ହୋଇଥିଲେ । ପରେ ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ସେ ଉପସ୍ଥିତ ନଥିବା ନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଫେଇ ଦେଇଥିଲେ । ଏପରିକି ସାଂସଦ ଶ୍ରୀ ବିଶି ଟିଟିଲାଗଡ଼, ପାଟଣାଗଡ଼, ପଦ୍ମପୁର, ମୁରିବାହଲ ଓ ଖପ୍ରାଖୋଲରେ ସେ ଦୁର୍ଘଟଣା ଦିନ ଉପସ୍ଥିତ ନଥିବା ନେଇ ସଂଘର ସହାୟତା ନେଇ ମିଛ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରାଇଥିଲେ । ଦୁର୍ଘଟଣାସ୍ଥଳରୁ ରାଜ୍ୟସଭା ସାଂସଦଙ୍କ ଉପସ୍ଥିତି ସହ ସେ କିପରି ଦୁର୍ଘଟଣାସ୍ଥଳରୁ ବାଇକ ମାଧ୍ୟମରେ ଫେରାର୍‌ ମାରିଥିଲେ, ଏହାକୁ ପ୍ରମାଣିତ କରିବା ପାଇଁ ସାଂସଦଙ୍କୁ ଦୁର୍ଘଟଣାସ୍ଥଳରୁ ବାଇକ୍‌ ଯୋଗେ ନେଇଥିବା ଯୁବକ ପ୍ରମୋଦ ବେହେରାଙ୍କ ଉପସ୍ଥିତିରେ ସ୍ଥାନୀୟ ଗୋକୁଳ ରେଷ୍ଟୁରାଣ୍ଟରେ ସମାଜସେବୀ ଡିଙ୍ଗର କୁମ୍ଭାରଙ୍କ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରାଯାଇଛି ।

Leave A Reply

Your email address will not be published.