ଖପ୍ରାଖୋଲରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା

  • ବାରମ୍ବାର ଖବର ପ୍ରସାରଣ ପରେ ବି ଚେତା ପଶୁନାହିଁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟ ସରକାର ଫେଲେରିଆ ନିରାକରଣ ପାଇ ସଚେତନ କରି ଲୋକଙ୍କୁ ଔଷଧ ଖାଇବାକୁ ଦେଉଛନ୍ତି, ହେଲେ ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଗାଁ ଲୋକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଗୁଡ଼ିଛି ବୋଲି ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହାଫଳରେ ଖପ୍ରାଖୋଲରେ ପରିମଳ ବ୍ୟବସ୍ଥା କେବେ ସୁଧୁରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ପଟେ ଡ୍ରେନ ପାଣି ରାସ୍ତା ଉପରେ ଭାସୁଥିବବେଳେ ଆଉ ଗୋଟିଏ ରାସ୍ତାରେ ଡ୍ରେନ ନ ଥିବା ଯୋଗୁଁ ଲୋକଙ୍କ ଅଳିଆ ଆବର୍ଜନା ପାଣି ରାସ୍ତାରେ ଗଡୁଛି । ଖାଲି ଏତିକି ନୁହେଁ ଏହି ଡ୍ରେନର କୀଟପୋକ ମଧ୍ୟ ଘର ଭିତରକୁ ପଶିଯାଇଥିବା ଦେଖାଦେଇଛି । ଏହାକୁ ନେଇଁ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ପଞ୍ଚାୟତ ପ୍ରତିନିଧି ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି । ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ଦଶବର୍ଷ ବିତି ଯାଇଥିଲେ ସୁଦ୍ଧା କାଗଜକଲମରେ ଅଭିଯାନ ଅଭୂତପୂର୍ବ ସଫଳତା ଲାଭ କରିଥିବା ବେଳେ ଗାଁ ମାନଙ୍କର ଅବସ୍ଥା ବାସ୍ତବତାର ଚିତ୍ର ବଖାଣୁଛି । ଅସ୍ୱଚ୍ଛତା କେବଳ ପରିବେଶକୁ ଦୂଷିତ କରି ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେନାହିଁ, ଦେଶର ମର୍ଯ୍ୟାଦା ଓ ଗୌରବକୁ ମଧ୍ୟ କ୍ଷୁର୍ଣ୍ଣ କରେ । ମୁକୁଳା ଡ୍ରେନ ସହ ଲୋକଙ୍କ ଚାଲିବା ରାସ୍ତାରେ ଘର ମାନଙ୍କ ଅଳିଆ ଆବର୍ଜନା ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ମୁକୁଳା ଡ୍ରେନକୁ ନେଇ ବ୍ଲକ ପ୍ରଶାସନ କି ପଦକ୍ଷେପ ନେବ ତାହା ଉପରେ ନଜର ରହିଛି । ଅନ୍ୟପକ୍ଷରେ ଗାଁ ପରିମଳ ଓ ପରିବେଶକୁ ସ୍ୱଚ୍ଛ ରଖିବା ପାଇ ଗାଁ କଲ୍ୟାଣ ଓ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଅନୁଦାନ ଆସୁଥିଲେ ବି ତାହାକୁ କାଗଜପତ୍ରରେ ଖର୍ଚ୍ଚ କରାଯାଉଛି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏବଂ ଜନ ପ୍ରତିନିଧି ଏଦିଗରେ ଦୃଷ୍ଟି ଦେବେ ନା ପୁଣି ନିରବଦ୍ରଷ୍ଟା ସାଜିବେ ।

Leave A Reply

Your email address will not be published.