- ଜିଲ୍ଲା କ୍ରିକେଟ ଏସୋସିଏସନ ପକ୍ଷରୁ ଶୁଭେଚ୍ଛା
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପ୍ରତିଭାବାନ ଖେଳାଳୀ ତଥା ଜିଲ୍ଲା ବରିଷ୍ଠ ଦଳର ଅଧିନାୟକ ପ୍ରବୀଣ ଲୁହା ଓଡ଼ିଶା ବରିଷ୍ଠ ଟି-୨୦ କ୍ରିକେଟ ଦଳରେ ସାମିଲ ହୋଇଛନ୍ତି । ଗତକାଲି ଓଡ଼ିଶା କ୍ରିକେଟ ଏସୋସିଏସନ ପକ୍ଷରୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଘୋଷଣା କରା ଯାଇଥିବା ଓଡ଼ିଶା ବରିଷ୍ଠ ଦଳର ଖେଳାଳୀ ତାଲିକାରେ ପ୍ରବୀଣ ଜଣେ ୱିକେଟ ରକ୍ଷକ ଭାବରେ ସ୍ଥାନ ପାଇଛନ୍ତି । ବରଗଡ ଜିଲ୍ଲାକୁ ନିୟମିତ ପ୍ରତିନିଧିତ୍ଵ କରୁଥିବା ପ୍ରବୀଣ ୨୦୧୯ରୁ ଓଡ଼ିଶା ବରିଷ୍ଠ ଦଳରେ ନିଜର ସ୍ଥାନ ନିୟମିତ ବଜାୟ ରଖିଛନ୍ତି । ଏହା ପୂର୍ବରୁ ପ୍ରବୀଣ ୨୦୧୯, ୨୦୨୦, ୨୦୨୩ରେ ସୟଦ ମୁସ୍ତାକ ଅଲି ଟ୍ରଫି, ୨୦୨୦, ୨୦୨୨ ଓ ୨୦୨୩ରେ ବିଜୟ ହଜାରେ ଟ୍ରଫି, ୨୦୨୨ରେ ରଣଜୀ ଟ୍ରଫି ଖେଳିବା ସହ ଚଳିତ ବର୍ଷ ମଧ୍ୟ ସୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳିବା ପାଇଁ ମନୋନୀତ ହୋଇ ଆଜି ଦଳ ସହ ବିଶାଖାପଟ୍ଟନମ ଗସ୍ତ କରିଛନ୍ତି । ସେହିପରି ଜିଲ୍ଲା କ୍ରିକେଟ ଏସୋସିଏସନର ବରିଷ୍ଠ ସଦସ୍ୟ ତଥା ଓଡ଼ିଶା କ୍ରିକେଟ ଏସୋସିଏସନର ବିଭିନ୍ନ ଦଳରେ ନିୟମିତ ଟ୍ରେନର ଭାବରେ ସଫଳତାର ସହ କାର୍ଯ୍ୟ ତୁଳାଇଥିବା ସୌର୍ଯ୍ୟ ରଞ୍ଜନ ରାଏ ମଧ୍ୟ ଓଡ଼ିଶା ଟି-୨୦ ଦଳରେ ଟ୍ରେନର ଭାବରେ ସାମିଲ ହୋଇଛନ୍ତି । ସେ ଗତ କିଛିଦିନ ପୂର୍ବରୁ ଓଡ଼ିଶା – ମହାରାଷ୍ଟ୍ର ମ୍ୟାଚରେ ଓଡ଼ିଶା ଦଳର ଟ୍ରେନର ଭାବରେ ନିଯୁକ୍ତି ପାଇଥିଲେ । ଶ୍ରୀ ରାଏ ଗତ ୨୦୦୯ ମସିହାରେ ଓଡ଼ିଶା କ୍ରିକେଟ ଏସୋସିଏସନ ପକ୍ଷରୁ କରାଯାଇଥିବା ଟ୍ରେନର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ସେହି ବର୍ଷରୁ ହିଁ ଓଡ଼ିଶା ୧୬ ବର୍ଷରୁ କମ, ୨୩ ବର୍ଷରୁ କମ ବୟସ ବର୍ଗ ତଥା ଓଡ଼ିଶା ମହିଳା କ୍ରିକେଟ ଦଳର ଟ୍ରେନର ଭାବରେ ସଫଳତାର ସହ କାର୍ଯ୍ୟ ତୁଳାଇ ଆସୁଛନ୍ତି । ବର୍ତ୍ତମାନ ତାଙ୍କୁ ଓଡ଼ିଶା ବରିଷ୍ଠ ଟି-୨୦ ଦଳର ଟ୍ରେନର ଭାବରେ ନିଯୁକ୍ତ କରାଯାଇଛି । ତାଙ୍କର ଓ ପ୍ରବୀଣଙ୍କ ଏହି ନିଯୁକ୍ତି ପାଇଁ ଉଭୟେ ଓଡ଼ିଶା କ୍ରିକେଟ ଏସୋସିଏସନ ସମ୍ପାଦକ ସଞ୍ଜୟ ବେହେରା ଓ ବରଗଡ ଜିଲ୍ଲା କ୍ରିକେଟ ଏସୋସିଏସନକୁ ଧନ୍ୟବାଦ ଜଣାଇଛନ୍ତି । ଉଭୟ ପ୍ରବୀଣ ଓ ସୌର୍ଯ୍ୟ ରଞ୍ଜନଙ୍କ ଏହି ନିଯୁକ୍ତି ପାଇଁ ତାଙ୍କୁ ଜିଲ୍ଲା କ୍ରିକେଟ ଏସୋସିଏସନର ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ପଣ୍ଡା, ପ୍ରାକ୍ତନ ସଭାପତି ଅରୁଣ କୁମାର ମହାନ୍ତି, ପ୍ରାକ୍ତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଅମୀୟ ଭୁଷଣ ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ କିଶୋର ରଥ, ଗିରିଜା ପ୍ରସାଦ ନାଥ, ପ୍ରଦୀପ ନନ୍ଦ, ଚନ୍ଦ୍ରଶେଖର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି ।