
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଦିନର ଖେଳରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଏ, ଟିମ – ବି କୁ ୪ ଉଇକେଟରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଟିମ- ବି ୧୩. ୫ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୩୬ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ସାଇ ସ୍ନେହାଶିଷ ଦାସ ୪ ଟି ଉଇକେଟ ଅକ୍ତିଆର କରିଥିଲେ । ଉତ୍ତରରେ ଟିମ – ଏ ୧୩. ୪ ଓଭରରେ ୬ ଉଇକେଟ ହରାଇ ୩୬ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ବିପକ୍ଷ ଦଳର ସତ୍ୟମ ପାତ୍ର ୩ ଉଇକେଟ ଅକ୍ତିଆର କରିଥିଲେ । ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ ଓ ଅଶୋକ ପଟ୍ଟନାୟକ ଉପସ୍ଥିତ ରହି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅମିତାଭ ପଟ୍ଟନାୟକ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂରେ ସହାୟତା ପ୍ରଦାନ କରିଥିଲେ । ଆସନ୍ତାକାଲି ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଡି ଏବଂ ସେଣ୍ଟ ଇନିଜ କନଭେଣ୍ଟ ସ୍କୁଲ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।