ଭୁବନେଶ୍ୱର : ମହାଦେବଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଅଘଟଣ । ଭାରସାମ୍ୟ ହରାଇ ୨୦ ଫୁଟ୍ ବ୍ରିଜ୍ ତଳକୁ ଖସି ପଡିଲା ବାଇକ୍ । ଘଟଣା ସ୍ଥଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ପଟାଙ୍ଗି ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ଖରା ଏବଂ ଗଙ୍ଗାଧର ଗେମେଲ । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ପାଡୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଚାଟୁଆ ନିକଟସ୍ତ ଅନ୍ଧାରିଘାଟି ବ୍ରିଜ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ତିନି ଜଣ ଯୁବକ ଗୋଟିଏ ବାଇକରେ ଚାଟୁଆ ଗାଁକୁ ପବିତ୍ର ଶିବରାତ୍ରିରେ ମାହାଦେବଙ୍କ ଦର୍ଶନ କରିବାକୁ ଆସିଥିଲେ । ସେଠାରୁ ଫେରିବା ବେଳେ ଭାରସାମ୍ୟ ହରାଇ ତିନି ଜଣ ଅନ୍ଧାରିଘାଟି ବ୍ରିଜ୍ ତଳକୁ ଖସି ପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପାଡୁଆ ପୋଲିସ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଛି । ହେଲେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଜୀବନ ଚାଲିଯାଇଥିଲା । ଗୁରୁତର ଅବସ୍ଥାରେ ଜଣଙ୍କୁ ପାଡୁଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ପୋଲିସ । ଏହା ସହ ମୃତଦେହ ଦ୍ୱୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ପୋଲିସ ।
Next Post