ଉପଜିଲ୍ଲାପାଳଙ୍କ ଅଚାନକ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

  • ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଵାସ୍ଥ୍ୟ ଖରାପ ଘଟଣା
  • ବର୍ଷେରୁ ଅଧିକ ହେବ ରୋଗୀଙ୍କୁ ଖାଦ୍ୟ କି ଜଳଖିଆ ଦିଆଯାଉନଥିବା ତଥା କାଦୁଅ ପଚପଚ ସମ୍ମୁଖ ରାସ୍ତା ନେଇ ତନାଘନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଏକମାତ୍ର ସ୍ଵାସ୍ଥ୍ୟକେନ୍ଦ୍ରଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଦୀର୍ଘ ବର୍ଷ ହେବ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଥିଲେ ମଧ୍ୟ ଏବେବି ବହୁ ସମସ୍ୟାର ସମାଧାନ ହୋଇନଥିବା ବେଳେ ଏହାର ସ୍ଵାସ୍ଥ୍ୟ ଖରାପ ବୋଲି ଗୁରୁତର ଅଭିଯୋଗ ହୋଇଆସୁଛି । ପୁର୍ବରୁ ଗୁରୁତର ଯକ୍ଷ୍ମା ରୋଗୀଙ୍କୁ ଏଠାରେ ମାସ ମାସ ଧରି ଔଷଧ ଯୋଗାଣ ହୋଇନଥିବା, ଦୀର୍ଘ ଗୋଟିଏ ବର୍ଷରୁ ଅଧିକ ହେବ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେଉଥିବା ରୋଗୀମାନଙ୍କୁ ସକାଳୁ କ୍ଷୀର, ପାଉଁରୁଟି ଭଳି ପୃଷ୍ଟିକର ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଦିଆଯାଉନଥିବା, ଡାକ୍ତରଖାନାରେ ଜେନେରେଟର୍‌ ଥିବା ସତ୍ତ୍ୱେ ବିଦ୍ୟୁତ୍ ଚାଲିଗଲେ ରୋଗୀମାନେ ଅନ୍ଧାରରେ ରହୁଥିବା ତଥା ସ୍ଵାସ୍ଥ୍ୟକେନ୍ଦ୍ର ସମ୍ମୁଖ ରାସ୍ତାରେ ବଡ ବଡ ଗାତ ସୃଷ୍ଟି ହୋଇ କାଦୁଅରେ ଭର୍ତ୍ତି ହୋଇଥିବାରୁ ଲୋକେ ଯିବା ଆସିବାରେ ଘୋର ଅସୁବିଧା ହେଉଥିବା ସମ୍ପର୍କରେ କୋଶଳ ପ୍ରବାହ ସହ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଖବର ପ୍ରକାଶନ ପରେ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ ମଙ୍ଗଳବାର ଅପରାହ୍ନରେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ଏହି ସବୁ ସମସ୍ୟା ବିଷୟରେ ସେ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡା. ଥବୀର ମେହେରଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଥମେ ସେ ଡାକ୍ତରଙ୍କ ଉପସ୍ଥିତି, ଔଷଧ ବିତରଣ କେନ୍ଦ୍ର, ରକ୍ତ, ମଳମୂତ୍ର ଓ ମ୍ୟାଲେରିଆ ପରୀକ୍ଷା କେନ୍ଦ୍ର, ଡ୍ରେସିଂ ରୁମ୍,ସାପ କାମୁଡ଼ା ସହ ସମସ୍ତ ଔଷଧ, ଇଞ୍ଜେକ୍ସନ ଆଦି ମହଜୁଦ ଥିବା ଆଦି ସମ୍ପର୍କରେ ପଚାରି ସନ୍ତୋଷବ୍ୟକ୍ତ କରିଥିଲେ । ହସ୍ପିଟାଲ୍‌ରେ ଭର୍ତ୍ତି ଜଣେ ମହିଳା ରୋଗୀଙ୍କୁ ଖାଲି ବେଡ୍‌ରେ ରଖାଯାଇଥିବା ତଥା ବେଡ୍‌ରେ ବେଡ୍‌ସିଟ୍‌ ଦିଆଯାଇନ ଥିବାରୁ ସେ ବିରକ୍ତି ପ୍ରକାଶ କରିଥିଲେ । ସେ ଜଣେ ଝାଡ଼ାବାନ୍ତି ରୋଗୀ ହୋଇଥିବାରୁ ତାଙ୍କ ପାଇଁ ବେଡ୍‌ସିଟ୍‌ ଦିଆଯାଇନ ଥିବା ଉପସ୍ଥିତ ଡାକ୍ତର ଓ ନର୍ସ ପ୍ରକାଶ କରିଥିଲେ । ସେ ନିୟମିତ ରୋଗୀକଲ୍ୟାଣ ସମିତି ବୈଠକ ଡାକିବା ଓ ସ୍ୱାସ୍ଥ୍ୟକେନ୍ଦ୍ର ସୁପରିଚାଳନା ପାଇଁ ଉପସ୍ଥିତ ସମସ୍ତ ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । କାଦୁଅ ପଚପଚ ସ୍ଵାସ୍ଥ୍ୟକେନ୍ଦ୍ର ସମ୍ମୁଖ ରାସ୍ତାକୁ ନେଇ ତନାଘନା ପଚାରିଥିଲେ । ଯଦି ଏହି ସମ୍ମୁଖ ରାସ୍ତାଟିରେ କାହାର ବ୍ୟକ୍ତିଗତ ଜମି ସମସ୍ୟା ରହିଛି ସେ ସମ୍ପର୍କରେ ଶୀଘ୍ର ମାପ ଓ ତଦନ୍ତ କରି ରାସ୍ତା ନିର୍ମାଣ ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉପସ୍ଥିତ ବିଡ଼ିଓ, ତହସିଲଦାର ଓ ଡାକ୍ତରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ବେଳେ ବିଡ଼ିଓ ପୂର୍ଣାନନ୍ଦ ପଟେଲ, ତହସିଲଦାର ଜଗଦୀଶ କର୍ତାମି, ସିଡ଼ିପିଓ ସୁପ୍ରଭା ମହାପାତ୍ର, ବିପିଏମ୍‌ ଯୁଗଳ ସାହୁ, ବିଏଏମ୍‌ ଘନଶ୍ୟାମ ମେହେର ଓ ଫାର୍ମାସିଷ୍ଟ ମାନସ ଦଳାଇଙ୍କ ସହ ସମସ୍ତ ସ୍ଵାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଆମ ଆଦମୀ ପାର୍ଟି କଣ୍ଟାବାଞ୍ଜି ସଭାପତି ସୁରଥ ବେହେରା ଓ ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ସିଏଚ୍‌ସିରେ ଲାଗିରହିଥିବା ବିଭିନ୍ନ ସମସ୍ୟା ଓ ନୂତନ ହସ୍ପିଟାଲ କୋଠା ଶୀଘ୍ର ନିର୍ମାଣ ସମ୍ପର୍କରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଉପଜିଲ୍ଲାପାଳ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରୁ ସେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଥିବା ବିଇଓ ଅଫିସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ । ଉପରୁ ସିମେଣ୍ଟ ଅତଡା ଖସୁଥିବା ଓ ବର୍ଷା ପାଣି ଝରୁଥିବା ନିଜ ଆଖିରେ ଦେଖିଥିଲେ । ନୂତନ ବିଇଓ ଅଫିସ୍ ନିର୍ମାଣ ପାଇଁ ଉପଯୁକ୍ତ ଭାବେ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଥିଲେ । ଏଥିରେ ବିଇଓ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସହ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ସେ ମାଛଚାଷୀ ଯଶୋବନ୍ତ ନାୟକଙ୍କ ମାଛ ପୋଖରୀ ଓ ଫାର୍ମ ବୁଲି ଦେଖିଥିଲେ । ମାଛର ଅଧିକ ବଂଶବୃଦ୍ଧି ଓ ଓଜନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଏଏଫ୍‌ଓ ସୀମାରାଣୀ ପଧାନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.