ଘରେ ପଶି ବୃଦ୍ଧାଙ୍କୁ ଛୁରିରେ ଆକ୍ରମଣ ଅଭିଯୋଗ

  • ଲୁଟିନେଲେ ଟଙ୍କା ଓ ଅଳଙ୍କାର, ଆକ୍ରମଣକାରୀ ଯୁବକ ଅଟକ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଂଚାୟତ ଅନ୍ତର୍ଗତ ବର୍ତିଆ ଗ୍ରାମରେ ଜଣେ ୫୫ ବର୍ଷିଆ ବୃଦ୍ଧାଙ୍କୁ ଛୁରିରେ ଆକ୍ରମଣ କରି ଜଣେ ଯୁବକ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣକାରୀ ବୃଦ୍ଧାଙ୍କ ଠାରୁ ଟଙ୍କା ଏବଂ ସୁନା ଗହଣା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ଖବରରୁ ଜଣାପଡିଛି ଯେ, ବର୍ତିଆ ଗ୍ରାମର କର୍ଣ୍ଣ ନାଗଙ୍କ ପତ୍ନୀ ରୁକ୍ମିଣୀ ନାଗ ବୁଧବାର ଘରେ ଥିବା ସମୟରେ ଗ୍ରାମର ଯୁଗଲ ଗାଲ(୨୮) ଘରକୁ ଆସି ରୁକ୍ମିଣୀଙ୍କୁ ୫ ହଜାର ଟଙ୍କା ଉଧାର ମାଗିଥିଲେ । ରୁକ୍ମିଣୀଙ୍କ ସହିତ ଯୁଗଲଙ୍କର ସୁସମ୍ପର୍କ ରହିଥିବାରୁ ରୁକ୍ମିଣୀ ତାଙ୍କୁ ସାଙ୍ଗେ ସାଙ୍ଗେ ୫ ହଜାର ଟଙ୍କା ଦେଇଥିଲେ । ଟଙ୍କା ନେଇ ଯୁଗଲ ସେ ସ୍ଥାନ ଛାଡି ପଳାଇ ଯାଇଥିଲେ । ମାତ୍ର ଏହାର କିଛି ସମୟ ପରେ ଯୁଗଲ ହଠାତ୍‌ ରୁକ୍ମିଣୀଙ୍କ ଘରକୁ ଆସି ରୁକ୍ମଣୀଙ୍କୁ ଅତର୍କିତ ଭାବେ ଛୁରିରେ ଆକ୍ରମଣ କରିଥିଲେ । ଯୁଗଲ ରୁକ୍ମଣୀଙ୍କ ବେକକୁ ଛୁରିରେ ଭୁଷି ଦେଇଥିବା ବେଳେ ରୁକ୍ମଣୀ ବଡ ପାଟିରେ ଚିତ୍କାର କରିଥିଲେ । ଏହି ସମୟରେ ଆକ୍ରମଣକାରୀ ଟଙ୍କା ଏବଂ ସୁନା ଗହଣା ରୁକ୍ମଣୀଙ୍କଠାରୁ ନେଇ ପଳାଇଯାଇଥିଲେ । ପରେ ଗ୍ରାମବାସୀ ଯୁବକଙ୍କୁ ଧରି ଲାଠୋର ପୋଲିସକୁ ଖବର ଦେଇଥିଲେ । ଲାଠୋର ଥାନା ଅଧିକାରୀ ଝସକେତନ ଭୋଇ ବର୍ତିଆ ଗ୍ରାମରେ ପହଂଚି ଆକ୍ରମଣକାରୀ ଯୁଗଲଙ୍କୁ ସାଙ୍ଗରେ ଧରି ନେଇଥିଲେ । ଅନ୍ୟ ପକ୍ଷରେ ଆହତ ରୁକ୍ମିଣୀଙ୍କୁ ଗ୍ରାମବାସୀ ପାଟଣାଗଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ । ସୂଚନାଯୋଗ୍ୟ ଯେ, ରୁକ୍ମିଣୀଙ୍କ ପୁଅ ଓ ବୋହୂ ଦାଦନ ଖଟିବାକୁ ଯାଇଥିବା ବେଳେ ସେମାନେ ପାଇଥିବା ଅଗ୍ରୀମ ଟଙ୍କା ସବୁ ରୁକ୍ମଣୀଙ୍କୁ ଦେଇ ଯାଇଛନ୍ତି । ରୁକ୍ମଣୀ ଏବଂ ତାଙ୍କ ସ୍ୱାମୀ କର୍ଣ୍ଣ ଘରେ ଏକୁଟିଆ ରହନ୍ତି । ରୁକ୍ମଣୀ ବାହାରକୁ ଗଲେ ଟଙ୍କା ଏବଂ ସୁନା ଗହଣା ଯୁଗଲ ପାଖରେ ରଖିଯାଆନ୍ତି ବୋଲି ଶୁଣିବାକୁ ମିଳିଛି । ଟଙ୍କା ଏବଂ ସୁନା ଗହଣା ପ୍ରତି ଯୁଗଲଙ୍କର ହଠାତ୍‌ ଲୋଭ ହେବାରୁ ସେ ରୁକ୍ମଣୀଙ୍କୁ ହତ୍ୟା କରି ଜୀବନରୂ ମାରିଦେବା ସହିତ ଏହି ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେବା ପାଇଁ ଯୋଜନା କରିଥିଲା ବୋଲି ଚର୍ଚ୍ଚା ହେଉଛି । ଲାଠୋର ପୋଲିସ ଅପରାହ୍ନରେ ଗ୍ରାମରେ ପହଂଚି ଆହତ ରୁକ୍ମିଣୀଙ୍କଠାରୁ ବୟାନ ରେକର୍ଡ କରିଛି । ଯୁଗଲ ତାଙ୍କଠାରୁ ନଗତ ୪୨ ହଜାର ଟଙ୍କା ସହିତ ସୁନା ଗହଣା ଲୁଟ୍‌ କରି ନେଇ ଯାଇଥିବା ରୁକ୍ମିଣୀ ପୋଲିସ ଆଗରେ ଅଭିଯୋଗ କରିଛନ୍ତି । ଲାଠୋର ପୋଲିସ ଯୁଗଳକୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହିତ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!