
ଭୁବନେଶ୍ୱର, (କେପିଏନ୍ଏସ୍) : ଖଣ୍ଡଗିରିରେ ସ୍ଥାପନ ହେଲା ଖଣ୍ଡଗିରି । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ କଥାଟି ସତ । ପୁରୁଷ ହକି ବିଶ୍ୱକପ୍-୨୦୨୩ ପାଇଁ ସାରା ଭୁବନେଶ୍ୱର ନୂଆ ବେଶ ଧାରଣ କରିଛି । ଆଉ ସେ ଭିତରେ ବଦଳିଯାଇଛି ଖଣ୍ଡଗିରି ଛକ ଓଭର୍ବ୍ରିଜ୍ର ରୂପ । ବ୍ରିଜ୍ ତଳ ଲ୍ୟାଣ୍ଡ୍ସ୍କେପ୍ରେ ବେଙ୍ଗଲ ଘାସ ଗାଲିଚା ସାଙ୍ଗକୁ ଅର୍ଣ୍ଣାମେଣ୍ଟାଲ ଏବଂ ଫୁଲ ଗଛ ଲାଗିଛି । ବ୍ରିଜ୍ର ୧୨ଟି ପିଲାରକୁ ଗେରୁଆ ରଙ୍ଗ ସହ ଖଣ୍ଡଗିରି-ଉଦୟଗିରିର ମହିମାକୁ ଚିତ୍ରିତ କରାଯାଇଛି । ପିଲାରରେ ସାଧୁସନ୍ଥଙ୍କ ଚିତ୍ର ଏବଂ ଐତିହ୍ୟ ଗୁମ୍ଫା ଓ ପ୍ରାଚୀରର ଚିତ୍ର ଅଙ୍କା ଯାଇଛି । ଏଥିସହ ଆକର୍ଷଣୀୟ ଆଲୋକ ଲଗାଯାଇଛି । ଲାଇଟ୍ ବି ଏପରି ଖଞ୍ଜା ଯାଇଛି ଯେ ଦେଖିଲେ ଚିତ୍ରଗୁଡ଼ିକ ଜୀବନ୍ତ ଲାଗୁଛି ।