oom

କେନ୍ଦୁପତ୍ର ତୋଳାଳିଙ୍କୁ ଦାଉ ସାଧୁଛି ଆଇକେଏଲଏମ୍‌ଏସ୍

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନରେ ଏ ବର୍ଷ ପାଖାପାଖି ୪୦ ହଜାର ୨୦୦ ଜଣ ତୋଳାଳି ୧୧ କୋଟି ଟଙ୍କାର କେନ୍ଦୁପତ୍ର ତୋଳିଛନ୍ତି । କିନ୍ତୁ ଦୁଃଖର ବିଷୟ, ପତ୍ର ତୋଳିବାର ଦେଢ଼ ମାସ ବିତି ଯାଇଥିଲେ ସୁଦ୍ଧା ସେମାନେ ତାଙ୍କର ପାଉଣା ପାଇନାହାନ୍ତି । କରୋନା ମହାମାରୀ ସମୟରେ ଲୋକେ ଖାଇବା ପାଇଁ ପାଉନଥିବା ବେଳେ ତୋଳାଳିମାନଙ୍କୁ ଏତେ ଦିନ ପରେ ମଧ୍ୟ ତାଙ୍କର ପାଉଣା ନ ମିଳିବା ନିହାତି ଦୁଃଖର ବୋଲି ସାଧାରଣରେ ଆଲୋଚନା ହେଉଛି । ସେମାନଙ୍କ କହିବା ଅନୁସାରେ ଏ ବର୍ଷ ଆଇକେଏଲଏମ୍‌ଏସ୍ ନାମରେ ଏକ ସଫ୍ଟୱେରରେ ତୋଳାଳି ମାନଙ୍କର ସମସ୍ତ ବିବରଣୀ ଲୋଡ଼ କରାଯାଉଅଛି । ଏହି କାମ ସରିଲା ପରେ ତାଙ୍କର ପାଉଣା ଦିଆଯିବ ଏବଂ ଏହି କାମ ଆଗାମୀ ଏକ ମାସ ମଧ୍ୟରେ ସରିବାର ସମ୍ଭାବନା ଅଛି ବୋଲି କୁହାଯାଇଛି । ଜଣେ ଗରିବ ଲୋକ କେନ୍ଦୁପତ୍ର ତୋଳି ସେହି ପାଉଣାରେ ନିଜର ପରିବାର ପୋଷଣ କରିଥାଏ । କିନ୍ତୁ ଯଦି ଜଣେ ଗରିବ ଲୋକ ପ୍ରବଳ ଖରାରେ କାମ କରି ନିଜର ପାଉଣା ପାଇବାକୁ ୩ ମାସ ଅପେକ୍ଷା କରିବ, ତେବେ ସେ କେମିତି ନିଜର ପରିବାର ପୋଷଣ କରି ପାରିବ, ତାହା ସାଧାରଣରେ ପ୍ରଶ୍ନ ହେଉଛି । ଏନେଇ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ଆଗାମୀ ଅଳ୍ପ ଦିନ ମଧ୍ୟରେ ତୋଳାଳି ମାନଙ୍କୁ ତାଙ୍କର ପାଉଣା ନ ମିଳିଲେ ସେମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଉହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.