oum

ଭଗ୍ନ ଅବସ୍ଥାରେ କେନାଲ : ଚାଷ ଜମିକୁ ଆସୁନି ପାଣି, ଚିନ୍ତାରେ ଚାଷୀ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସହ ଜଳ ସେଚନର ସୁବ୍ୟବସ୍ଥା ନ ଥିବାରୁ ଗଞ୍ଜାମ ଜିଲ୍ଲାର ଚାଷ ଜମିଗୁଡିକରେ ମରୁଡି ପରିସ୍ଥିତି ଉପୁଜିଛି । ଚାଷୀ କୂଳ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଛତ୍ରପୁର ବ୍ଲକର ବିପୁଳିଙ୍ଗି ପଂଚାୟତର ସାନ ଜଗନ୍ନାଥପୁର ଓ ପଲସର ମୌଜାର ଚାଷୀ ମାନେ ଜଳ ସେଚନର ସୁବିଧା ନଥିବାରୁ ଏ ପର୍ଯ୍ୟନ୍ତ ସେମାନଙ୍କ ଚାଷ କାର୍ଯ୍ୟ ଆରମ୍ଭ କରିନଥିବା ଦେଖିବାକୁ ମିଳିଛି । କରାତଳି ତାମ୍ପରା ୨ ନମ୍ବର କେନାଳରେ ଅଗଷ୍ଟ ୨୬ ତାରିଖ ଠାରୁ ପାଣି ଛଡାଯାଇଥିଲେ ମଧ୍ୟ କେନାଲ ଭାଙ୍ଗି ଯାଇଥିବାରୁ କେନାଲର ଶେଷ ମୁହଁ ଏହି ଅଂଚଳ ହୋଇଥିବାରୁ କେନାଲରେ ପାଣି ଆସିପାରୁନାହିଁ । ଯାହା ଫଳରେ ସାନ ଜଗନ୍ନାଥପୁର ଓ ପଲସର ମୌଜାର ଏକର ଏକର ଚାଷଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇନାହିଁ । ପାଣିର ସୁବିଧା ନଥିବାରୁ ବହୁ ଚାଷୀଙ୍କର ତଳି ପୋଡିଯାଇଛି । ଚାଷୀମାନେ ସରକାରୀ ସ୍ତରରୁ ଋଣ ଆଣି ଧାନ ଚାଷ କରିଥିବାରୁ ସେମାନେ ଏବେ ଚିନ୍ତାରେ ବସିଛନ୍ତି । ଧାନ ଚାଷ କେବେ କରିବେ, ଅମଳ କେବେ ହେବ ଓ ସରକାରଙ୍କ ଋଣ କେବେ ସୁଝିବେ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଏହି ଚାଷୀମାନେ । ଏପଟେ ପରିବାରର ଭରଣପୋଷଣ କରିବା ପାଇଁ ଅନ୍ୟ ମାନଙ୍କ ପାଖରେ ହାତ ପତେଇବାକୁ ବାଧ୍ୟ ହେବେ ବୋଲି ସେମାନେ କହିଛନ୍ତି । ଅଗଷ୍ଟ ସୁଦ୍ଧା ଧାନ ଚାଷ କାମ ସରିଯାଉଥିବା ବେଳେ ଚଳିତ ବର୍ଷ ଆଜି ସୁଦ୍ଧା ପାଣି ନ ଆସିବାରୁ ଏହି ମୌଜାର ଚାଷୀ ମାନେ ଧାନ ଚାଷ ଆରମ୍ଭ କରିପାରିନାହାନ୍ତି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାଶୀଘ୍ର କରାତଳି ତାମ୍ପାରାର ୨ ନମ୍ବର କେନାଳର ବାକିଥିବା କଂକ୍ରିଟ କାମ ତୁରନ୍ତ ପୂରଣ କରାଗଲେ ଚାଷୀ ମାନେ ଆସନ୍ତା ବର୍ଷ ଗୁଡିକରେ ଏତେ ଗୁଡାଏ ସମସ୍ୟାର ସମ୍ମୁଖୀନ ହେବାରୁ ରକ୍ଷା ପାଇବେ ବୋଲି ଚାଷୀ ପ୍ରଭାତ କୁମାର ପାଣିଗ୍ରାହୀ, ଆଦିକନ୍ଦ ପଣ୍ଡା, ବୃନ୍ଦାବନ ପାଣିଗ୍ରାହୀ, କାଳିଆ ଦାସ, ସନ୍ତୋଷ ଦାସ ପ୍ରମୁଖ କହିଛନ୍ତି ।

Leave A Reply

Your email address will not be published.