om academy

ବନ୍ଦୀଜୀବନ ବିତାଉଥିବା କଏଦୀମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏକ ଅଭିନବ ପ୍ରୟାସ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରେ ଅବସ୍ଥାପିତ ଉପକାରାଗାରରେ ବନ୍ଦୀଜୀବନ ବିତାଉଥିବା କଏଦୀମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ନିକଟରେ ଚର୍ଚ୍ଚାରେ ଆସିଥିବା ଛତ୍ରପୁର ଜେଲ୍‌ରେ ଦୀର୍ଘ ୪ବର୍ଷ ଧରି ବନ୍ଦୀଜୀବନ ବିତାଉଥିବା ଗଞ୍ଜାମ ବ୍ଳକ୍‌ର ମଲାଡ଼ ଗ୍ରାମର ଆର.ଚିତ୍ତରଞ୍ଜନ(୨୮) ଦୀର୍ଘ ୮ ମାସ ହେଲା ନିଜସ୍ୱ ଖର୍ଚ୍ଚରେ ପ୍ରଥମେ ଆରମ୍ଭ କରିଥିଲେ ଚିତ୍ରକଳା କାର୍ଯ୍ୟ, ଏଥିରୁ ଆକର୍ଷିତ ହୋଇଛନ୍ତି ଜେଲ୍ ଅନ୍ତେବାସୀମାନେ, ଜେଲ୍ ଅନ୍ତେବାସୀଙ୍କ ମଧ୍ୟରେ ଦୁଇଜଣ କଏଦୀ ତାଙ୍କରି ସହଯୋଗୀ ପାଲଟିଛନ୍ତି । ସେମାନେ ହେଲେ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ପଞ୍ଚାୟତର ତେଲୁଗୁ ନୂଆଗାଁର ପ୍ରଶାନ୍ତ ଦାସ (୨୫), ରାମେୟାପଲ୍ଲୀର ପି.ରବି(୨୬) ଅଟନ୍ତି । ଏହି ଦୁଇଜଣ ଆର. ଚିତ୍ତରଞ୍ଜନଙ୍କୁ ଗୁରୁ ଭାବେ ମାନିଯାଇଛନ୍ତି । ଗୁରୁଙ୍କ ଠାରୁ ଅଭିନବ ଚିତ୍ରକଳା ଶିକ୍ଷା ଲାଭ କରି ସହଯୋଗର ହାତ ବଢ଼ାଇ ସେମାନେ ଅନେକ କଳା କୌଶଳର ଚିତ୍ତାକର୍ଷକ ଚିତ୍ରାଙ୍କନର ପାରଦର୍ଶିତା ପ୍ରଦର୍ଶନ ପୂର୍ବକ ଜେଲ୍‌ରେ ପ୍ରତିଦିନ ଏହି ଟାଇମ ପାସ୍‌ ଭଳି କାର୍ଯ୍ୟ କରି ଅନ୍ୟମାନଙ୍କୁ ଉତ୍ସାହିତ କରି ଆସୁଛନ୍ତି । ଆହୁରି ଅନେକ ଯୁବପୀଢ଼ି, ବୟସ୍କ, ବୃଦ୍ଧମାନେ ଶୃଙ୍ଖଳିତ ଭାବେ ଜେଲ୍‌ରେ ବନ୍ଦୀଜୀବନ ଭିତ୍ତିରେ ମିଳିତ ହୋଇ ଅନେକ ହସ୍ତକର୍ମ ମାଧ୍ୟମରେ ଘରେ ବ୍ୟବହୃତ ଝାଡୁ ଅବା ଘରେ ଓଳାଇବା କାର୍ଯ୍ୟ ବ୍ୟବହାରରେ ଆସୁଥିବା ବିଭିନ୍ନ ପ୍ରକାର ଝାଡୁ ତିଆରି କରାଯିବାରେ ଶୃଙ୍ଖଳିତ କଏଦୀ ମାନଙ୍କୁ ଶିକ୍ଷା ଦିଆଯାଉଛି । ଏହି କଏଦୀମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବାରେ ଗଞ୍ଜାମ ଜିଲ୍ଲାପ୍ରଶାସନ ପଦକ୍ଷେପ ନେଇଛନ୍ତି । ଏହି ଅବସରରେ ମଙ୍ଗଳବାର ଠାରୁ ଏକ ତିନିଦିନିଆ କର୍ମଶାଳାରେ ଓରମାସ ଏବଂ ମିଶନଶକ୍ତିର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ସୌଜନ୍ୟରେ ଏକ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଛତ୍ରପୁର ସବଜେଲ୍ ପରିଦର୍ଶନରେ ଯାଇଥିଲେ । ଅନ୍ତେବାସୀଙ୍କ କଳାକାର୍ଯ୍ୟ ଏବଂ ଘରୋଇ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଏହିସବୁ ହସ୍ତକର୍ମ ମାଧ୍ୟମର ସ୍କିଲ ଡେଭଲପ୍‌ମେଣ୍ଟ କାର୍ଯ୍ୟର ତଦାରଖକରି ନିୟୋଜିତ ଥିବା ଜେଲ୍ ଅନ୍ତେବାସୀଙ୍କୁ ପ୍ରେରଣା ଦେଇଥିଲେ ଏବଂ ଜେଲ୍ ଅଧିକାରିଣୀ ଶ୍ରୀମତୀ ଶୁଭସ୍ମିତା ବିଶ୍ୱାଳଙ୍କ ସହ ଉପଯୁକ୍ତ ପରାମର୍ଶ ପ୍ରଦାନ କରିଥିଲେ । ଏହା ସହିତ ଜିଲ୍ଲାପାଳ ଜେଲ୍ କର୍ମଚାରୀଙ୍କ ସହ କଥାବାର୍ତ୍ତା କରି ସ୍କିଲଡେଭଲପମେଣ୍ଟ କାର୍ଯ୍ୟରେ ପରିମାର୍ଜିତ କରାଇ ଜେଲ୍ ଅନ୍ତେବାସୀଙ୍କୁ ଉତ୍ସାହିତ କରାଇବା ଦିଗରେ ମନୋନିବେଶ କରାଇବା ଭଳି ସୂତ୍ରର ଅବଲମ୍ବନ କରାଇବାକୁ ଓରମାସ ଏବଂ ମିଶନଶକ୍ତିର ଅଧିକାରୀଙ୍କୁ ବୁଝାଇଥିଲେ ।

Leave A Reply

Your email address will not be published.