ନୂଆପଡ଼ା ଜିଲ୍ଲା ମାଗୁରପାଣି ଗାଁରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ ଏବଂ ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକ୍ ବୋଇରଭାଡି ପଞ୍ଚାୟତ ମାଗୁର ପାଣି ଗାଆଁରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା ସଭା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ୍, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ବିଡ଼ିଓ ରୋହିତ ଭୋଇ, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ରାଉତ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ । ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ନବଜାତକ ଦୁଇ ଶିଶୁ କନ୍ୟା ଥନୁଶ୍ରୀ ଓ ପିଙ୍କିଙ୍କୁ କୋଳରେ ଧରି ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସେମାନଙ୍କ ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ । ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଚାରି ଜଣ ଗର୍ଭବତୀ ମହିଳାଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥିମାନେ ଭେଟି ଦେଇଥିଲେ । ସେମାନଙ୍କ ପରିବାରକୁ ଏହି ଆଗାମୀ ଦିନର ମାଆମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ଉତ୍ସାହିତ କରିଥିଲେ । ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ ମାଗୁରପାଣି ଗାଁ ଆନନ୍ଦ ମୁଖର ହୋଇଉଠିଥିଲା । ଏହାକୁ ନୂଆପଡ଼ା ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ନୂଆପଡ଼ା ସିଡିପିଓ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆୟୋଜନ କରିଥିଲେ । ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ଗୋଟିଏ ସୁସ୍ଥ ସମାଜ ପାଇଁ ଝିଅ ଏବଂ ଗଛ ଉଭୟ ଅତ୍ୟନ୍ତ ଜରୁରୀ ଅଟେ । ସମଗ୍ର ସମାଜ ସେମାନଙ୍କ ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ । ଆମ ଜିଲ୍ଲାର ଝିଅମାନେ ସୁନାଗରିକ ହୋଇ ନିଶ୍ଚିତ ଭାବରେ ଦିନେ ଜିଲ୍ଲାର ନାମ ଉଜ୍ୱଳ କରିବେ । ଶେଷରେ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଏବଂ ସମସ୍ତ ଅତିଥି ପକ୍ଷୀ ପାଇଁ ଦିନଟିଏ ଓ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କରିଥିଲେ ।