
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଦଶମ ଦିବସରେ ଆଜି “ଲୋକକଳା ପାଇଁ ଦିନଟିଏ” ଭାବରେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବଡ଼ଗାଁ ବ୍ଲକ ସ୍ଥିତ ଏକମା ଗ୍ରାମ ପଞ୍ଚାୟତ ଠାରେ ଥିବା କଳାଗ୍ରାମ ଠାରେ ଲୋକକଳା ପାଇଁ ଦିନକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହା ଛଡ଼ା ସମସ୍ତ ବ୍ଲକରେ ମଧ୍ୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ତତ୍ତ୍ଵାବଧାନରେ “ଲୋକକଳା ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଲୋକକଳା ଗୁଡ଼ିକର ସଂରକ୍ଷଣ, ପ୍ରଚାର ପ୍ରସାର ଉପରେ ଅତିଥି ମାନେ ନିଜ ବକ୍ତବ୍ୟ ରଖିଥିଲେ । ସେହିଭଳି କଳାକାର ମାନଙ୍କ ବିକାଶ ଦିଗରେ ବିଶେଷ ଧ୍ୟାନ ଦିଆଯିବା ନେଇ ଆଲୋଚନା କରାଯାଇଥିଲା । ଓଡ଼ିଶାର ଲୋକକଳା ଏବଂ ଲୋକସଂସ୍କୃତିକୁ ବଜାୟ ରଖିବା ପାଇଁ ଆଜିର ଦିନଟିକୁ ଲୋକକଳା ପାଇଁ ଦିନଟିଏ ଭାବରେ ପାଳନ କରାଯାଉଛି । ସମସ୍ତେ ଏକତ୍ରିତ ହୋଇ ଆମ ପରମ୍ପରା, ଆମ ସଂସ୍କୃତି ଓ ଆମ ଲୋକକଳା ପାଇଁ ଏହି ଦିନଟିକୁ ଉତ୍ସର୍ଗ କରିବା ଆବଶ୍ୟକ । ଏହିଅବସରରେ କଳାକାରମାନେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ, ଗୀତ ଗାଇ ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଜିଲ୍ଲାର ସମସ୍ତ ବରିଷ୍ଠ ଲୋକ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ଅଭିନବ ପଦକ୍ଷେପ କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ଲୋକକଳାର ପ୍ରଚାର ପ୍ରସାର ପାଇଁ ଅଧିକ ପ୍ରେରଣା ଯୋଗାଇଛି ବୋଲି ବରିଷ୍ଠ କଳାକାର ମାନେ ମତ ରଖିଥିଲେ ।