om academy

ଗତକାଲି ଗୋଟିଏ ଦିନରେ ଘୁନସରରେ ୫ ଜଣଙ୍କ ମୃତ୍ୟୁ, ସଇଁନ୍ତଲା ବ୍ଲକରେ କାୟା ବିସ୍ତାର କରୁଛି କରୋନା

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ କରୋନା ମହାମାରୀକୁ ନେଇ ଆତଙ୍କିତ ଅବସ୍ଥାରେ ଲୋକେ ରହୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୫ ତାରିଖରୁ ଲକ୍‌ଡାଉନ ମଧ୍ୟ ଘୋଷଣା କରାଯାଇଛି । ହେଲେ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ହେଉନାହିିଁ । ଜନସାଧାରଣ ମଧ୍ୟରେ ଏକ ଅଜଣା ଭୟ ଲାଗି ରହିଛି । ଅନ୍ୟପଟେ ସଇଁନ୍ତଲା ବ୍ଳକର ଘୁନସର ଗ୍ରାମରେ ଗତକାଲି ଗୋଟିଏ ଦିନରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରକାଶ ଥାଉକି ଦୀର୍ଘ ୩ ବର୍ଷ ହେଲାଣି ଘୁନସର ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଦେଖା ଦେଇଥିବା ବେଳେ ଏନେଇ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧୟକ ଟୁକୁନି ସାହୁ, ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓ, ବଲାଙ୍ଗିର ସିଡିଏମଓ ଡ଼ା. ଭୀମ ସାହୁଙ୍କୁ ମଧ୍ୟ ଅନେକ ଥର ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ ଜଣାଇଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ତତ୍ପରା ଦେଖା ଦେଇ ନଥିବା ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଚିକିତ୍ସା ଅଭାବରୁ ଅନେକ ଲୋକେ ମୃତ୍ୟୁବରଣ କରିଥିବା ଅଭିଯୋଗ ମଧ୍ୟ ହେଉଛି । ତେବେ ଏହି ଡାକ୍ତରଖାନା ଉପରେ ଖାସବାହାଲ, କଁସର, ଭୂସ୍କିମାଲ, ଉଲବା, ଡୁଙ୍ଗୁରିପାଲି ଭଳି ଅନେକ ଗ୍ରାମବାସୀ ନିର୍ଭର କରୁଛନ୍ତି । ହେଲେ ଡାକ୍ତରଖାନାରେ ଡାକ୍ତର ନ ଥିବା ନେଇ ସଇଁନ୍ତଲା ଡାକ୍ତରଖାନାରେ ଉପରେ ସଭିଏଁ ଭରସା କରିଥାନ୍ତି । ଗରିବ ଶ୍ରେଣୀର ଲୋକଙ୍କ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ବେଳେ କରୋନା ମହାମାରୀ ସମୟରେ ଚିକିତ୍ସା ପାଇଁ ସଇଁନ୍ତଲା ସଦର ମହକୁମାକୁ ୧୫ କିଲୋମିଟର ହେଉଥିବା ଯୋଗୁଁ ଯିବା ଆସିବା ପାଇଁ ସମ୍ଭବ ହେଉନ ଥିବା ଅଭିଯୋଗ କରିଛନ୍ତି । ଅନେକ ଲୋକେ ଏବେ ଜ୍ଵରରେ ମଧ୍ୟ ପୀଡ଼ିତ ଅଛନ୍ତି, ଯାହାକୁ ନେଇ ଲୋକେ ଚିନ୍ତାରେ ଏବେ। ସବୁଠାରୁ ବଡ଼ ଦୁଃଖର ବିଷୟ, ଗତକାଲି ଗୋଟିଏ ଦିନରେ ଘୁନସର ଗାଁରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.