ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଫାଶୀ କାଠଦାତାଙ୍କୁ ପୁରୀ ଠାରେ ସୋମବାର ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଠାରେ ଶ୍ରୀ ଶ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମନ୍ଦିର ପ୍ରଶାସନ ଅରବିନ୍ଦ କୁମାର ପାଢୀ ଉପସ୍ଥିତ ଥିଲେ । ଉକ୍ତ ସଭାରେ ରଥ ପାଇଁ ବିଭିନ୍ନ ଉପକରଣ ଦାନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଢାମାଲ ଗ୍ରାମ ତଥା ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ କୁବେର ରଣା ରଥ ଚକ ପାଇଁ ଫାଶୀ କାଠ ଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି କୁବେର ରଣାଙ୍କ ତରଫରୁ ତାଙ୍କ ପୁଅ ଚମ୍ପେକ ପ୍ରସାଦ ରଣାଙ୍କୁ ମାନପତ୍ର ସହ ଏକ ଖଣ୍ଡୁଆ ପାଟ, ଭୋଗ, ନେତ, ରଥକାଠ, ରଥ ଦଉଡ଼ି, ଶରଧାବାଲି, ଫୁଲ ତୁଳସୀ, ଏକ ପେଡିରେ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ମନ୍ଦିର ତରଫରୁ ଜଗନ୍ନାଥ ମହାପ୍ରସାଦକୁ ଦର୍ଶନ କରାଇ ଅଭଡ଼ା ଖୁଆଇ ଆପ୍ୟାୟିତ କରାଯାଇଥିଲା । ଶ୍ରୀ ରଣା ଜଗତର ନାଥ ଜଗନ୍ନାଥଙ୍କୁ ରଥ ପାଇଁ ଫାସି କାଠରେ ଯୋଗାଇର ସୌଭାଗ୍ୟ ପ୍ରାପ୍ତି ହୋଇଥିବାରୁ ନିଜକୁ ଓ ତାଙ୍କ ପରିବାର ଜଗନ୍ନାଥ ମହାପ୍ରଭୁଙ୍କର ଅପାର କରୁଣା ବୋଲି ସେ ଧନ୍ୟ ମନେ କରିଥିବା ପ୍ରକାଶ କରିଛନ୍ତି ।