ଆମ୍ବ କାଠ ଜବତ : ୧ ଅଟକ

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଗୋପୀନାଥପୁରରୁ ଏକ ଇଞ୍ଜିନ ରିକ୍ସାରେ ଚୋରା କାଠ ବୋଝେଇ ହୋଇ ପଶ୍ଚିମବଙ୍ଗକୁ ଯାଉଥିଲା ବେଳେ ଅଚାନକ ଚଢ଼ାଉ କରି ଚୋରା କାଠ ରିକ୍ସାକୁ ଜବତ କରିବା ସହିତ ଚାଳକକୁ ଅଟକ କରିଛି ବନ ବିଭାଗ । ସୂଚନା ଅନୁସାରେ ଗୋପୀନାଥପୁରରୁ ଏକ ବିରାଟ ଆମ୍ବ ଗଛର କାଠ ଇଞ୍ଜିନ ରିକ୍ସାରେ ବୋଝେଇ ହୋଇ ଯାଉଥିବା ବେଳେ ଗୁନେଇବସାଣ ପଞ୍ଚାୟତର ଜାମଡ଼ା ଛକ ଠାରେ ଜଳେଶ୍ୱର ରେଞ୍ଜର ଜୟଶ୍ରୀ ମୁର୍ମୁଙ୍କ ନିର୍ଦ୍ଦେଶ କ୍ରମେ ଉଦୟପୁର ବନପାଳ ପରମାନନ୍ଦ ନାୟକ, ବନରକ୍ଷୀ ସଞ୍ଜୟ ମହାନ୍ତି ଓ ସବୁଜ ବାହିନୀଙ୍କୁ ନେଇ ଚଢ଼ାଉ କରାଯାଇଥିଲା । ଏହି ଚଢାଉ ସମୟରେ କାଠ ସହିତ ରିକ୍ସା ଜବତ କରିବା ସହିତ ଚାଳକକୁ ଅଟକ ରଖାଯାଇଛି । ଗିରଫ ରିକ୍ସା ଚାଳକ ହେଲେ ନିମାତପୁର ପଞ୍ଚାୟତ ଅଧିନ ସିଆଳିଆ ଗାଁର ସୁଧୀର ଗିରିଙ୍କ ପୁଅ ନବକାନ୍ତ ଗିରି । ଚୋରା କାଠ ବୋଝେଇ ରିକ୍ସାକୁ ଜବତ କରି ଉଦୟପୁର ବନପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!