ଚୋରାଚାଲାଣ ବେଳେ ଧରିଲା ବନବିଭାଗ, ବିପୁଳ ପରିମାଣର ମୁଲ୍ୟବାନ କାଠ ଜବତ

ବଲାଙ୍ଗୀର, (କେପିଏନ୍‌ଏସ୍‌) : ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ଖଇର ଓ କୁଡ୍‌ଡୁ କାଠ ଜବତ ହୋଇଛି । ଚୋରା ଚାଲାଣ ବେଳେ ଧରିଛି ବଲାଙ୍ଗୀର ବନ ବିଭାଗ । ଡିଏଫଓ ସମୀର ଶତପଥୀଙ୍କ ନେତୃତ୍ବରେ ସାଲେଭଟା ଠାରେ ଗାଡି ଜବତ ସହ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଖବର ଅନୁଯାୟୀ, କଣ୍ଟାବାଞ୍ଜି ଚନାବାହାଲ ଅଞ୍ଚଳ ଜଙ୍ଗଲରୁ ଏକ ଟ୍ରକଭର୍ତ୍ତି ମୁଲ୍ୟବାନ କାଠ ସମ୍ବଲପୁର ଚାଲାଣ ହେଉଥିଲା । ବିଶେଷ ସୁତ୍ରରୁ ଖବର ପାଇ ବଲାଙ୍ଗୀର ଡିଏଫଓଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାରେ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଟ୍ରକଟି ଦ୍ରୁତ ଗତିରେ ଚାଲିଯାଇଥିଲା । ଶେଷରେ ବନ ବିଭାଗ ସାଲେଭଟା ଠାରେ ରାସ୍ତାସିଲ କରି ଟ୍ରକକୁ ଅଟକାଇଥିଲା । ଟ୍ରକ ଡ୍ରାଇଭର  ସମେତ ୨ଜଣକୁ ଗିରଫ କରାଯାଇଛି । କଣ୍ଟାବାଞ୍ଜିର ଚନାବାହାଲ ଜଙ୍ଗଲରୁ ମୂଲ୍ୟବାନ କାଠ ଚୋରା ଚାଲାଣ ହୋଇଥିବା ଜଣାପଡିଛି । ଜବତ କାଠର ଆନୁମାନିକ  ମୂଲ୍ୟ ୬ ଲକ୍ଷ ହେବା ନେଇ ଡିଏଫଓ ସୂଚନା ଦେଇଛନ୍ତି । ଗିରଫ ୨ ଜଣ ହେଲେ ଟ୍ରକ୍ ଡ୍ରାଇଭର ଲିପୁନ୍ ଦିପ ଓ ପଟଣାଗଡ଼ ଚାଉଲଦୋରୋ ଗାଁର କାଠ ମାଫିଆ ପ୍ରମୋଦ ପୋଢ଼ ବୋଲି ଜଣାପଡିଛି । ଟ୍ରକ୍ ମାଲିକ ହେଲେ ସମ୍ବଲପୁରର ଅନିଲ କୁମାର ସାହ। । ଜବତ କାଠ ବୋଝେଇ ଟ୍ରକ୍ ଟିକୁ ବଲାଙ୍ଗିର ନର୍ସରୀରେ ରଖାଯାଇଥିବା ବେଳେ ଗିରଫ ଅଭିଯୁକ୍ତ ଦୁଇ ଜଣଙ୍କୁ ବଲାଙ୍ଗିର ବନାଞ୍ଚଳ କାର୍ୟ୍ୟାଳୟକୁ ଅଣାଯାଇ ଅଧିକ ପଚରା ଉଚୁରା ଜାରି ରହିଥିବା ନେଇ ବଲାଙ୍ଗିର ଡିଏଫଓ ସମୀର ଶତପଥୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.