centurian jitm

ମୁରିବାହାଲ ଥାନାରେ ଅଟକ ନାବାଳିକା ଅପହରଣକାରୀଙ୍କ କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତରୟ

nschool
  • ଅଭିଯୁକ୍ତ ଦମ୍ପତି ଗିରଫ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକାଙ୍କୁ ଅପହରଣ କରି ନେଉଥିବା ଏକ ଦମ୍ପତିକୁ ପରିବାର ଲୋକେ ଧରି ପୁଲିସର ଜିମା ଦେଇଥିବା ବେଳେ ଅଟକ ସ୍ଵାମୀଙ୍କ ଦ୍ଵାରା କାଠ ଫାଳିଆରେ ଅତର୍କିତ ଆକ୍ରମଣରେ ଥାନାରେ ଦାୟିତ୍ୱରେ ଥିବା ଜଣେ କନେଷ୍ଟବଳ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଅଭିଯୁକ୍ତ ଦମ୍ପତି ହେଲେ ତୁରେକେଲା ଥାନା ଢୋଲମାନ୍ଦଲ ଗ୍ରାମର ମଗଶିର ପରାଭୋଇ(୪୫) ଓ ତାଙ୍କ ପତ୍ନୀ ରତମନି ପରାଭୋଇ(୪୦) । ଏହି ଥାନା ଚଣାବାହାଲ ପଞ୍ଚାୟତ କୁମ୍ଭାରୀ ଗ୍ରାମର ଟେଙ୍ଗନୁ ପରାଭୋଇ ଓ ତାଙ୍କ ପତ୍ନୀ ଗୁନଦେଇ ପରାଭୋଇ ନିଜ ପରିବାର ସହ ଝରଣୀର ଦାଦନ ସର୍ଦ୍ଦାର ସରିଫ ଖାଁ ଦ୍ଵାରା ହାଇଦ୍ରାବାଦକୁ ଇଟା ଗଢିବାକୁ ଚାଲାଣ ହୋଇଥିଲେ । ସେଠାରେ କାମ କରୁଥିବା ବେଳେ ଉଭୟଙ୍କ ନାବାଳିକା ଝିଅ(୧୫) ସହ ସେଠାକୁ ଦାଦନ ଖଟିବାକୁ ଯାଇଥିବା ଢୋଲମାନ୍ଦଲ ଗ୍ରାମର ସଂପୃକ୍ତ ଦମ୍ପତିଙ୍କ ପୁଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ଜାଣିପାରି ନାବାଳିକାଙ୍କ ମା ନିଜ ଝିଅକୁ ଧରି କୁମ୍ଭାରୀ ଗ୍ରାମକୁ ଫେରି ଆସିଥିବା ବେଳେ ବାପା ଟେଙ୍ଗନୁ ଏବେ ବି ଦାଦନ ଖଟୁଛନ୍ତି । ପୁଅର ପରିବାର ମଧ୍ୟ ସେଠାରୁ ଚାଲିଆସିଥିଲେ । ମଙ୍ଗଳବାର ଅପରାହ୍ନରେ ଢୋଲମାନ୍ଦଲର ସଂପୃକ୍ତ ଦମ୍ପତି କୁମ୍ଭାରୀ ଗ୍ରାମକୁ ଆସି ନିଜ ପୁଅ ପାଇଁ ସେହି ନାବାଳିକାଙ୍କ ବିବାହ ପ୍ରସ୍ତାବ ଦେଇଥିଲେ । ନିଜ ଝିଅର ବୟସ ମାତ୍ର ୧୫ବର୍ଷ ହେଉଥିବାରୁ ଏହାକୁ ନାବାଳିକାଙ୍କ ମା ରୋକଠୋକ୍ ମନା କରିଦେଇ ଅନ୍ୟ କାମରେ ବ୍ୟସ୍ତ ଥିଲେ । ଏହି ସମୟରେ ସୁବିଧା ସୁଯୋଗ ଦେଖି ଢୋଲମାନ୍ଦଲର ସଂପୃକ୍ତ ଦମ୍ପତି ନାବାଳିକାଙ୍କୁ ଘରୁ ଅପହରଣ କରି ଫେରାର ହୋଇଯାଇଥିଲେ । ଏହି ଦମ୍ପତିଙ୍କ ପୁଅ ସହ ସଂପୃକ୍ତ ନାବାଳିକାଙ୍କ ପ୍ରେମ ସମ୍ପର୍କ ଥିବାରୁ ସେମାନେ ଏହି ନାବାଳିକାଙ୍କୁ ବିବାହ କରାଇବା ପାଇଁ ତାଙ୍କ ଘରୁ ଅପହରଣ କରିଥିବା ଜଣାପଡିଛି । ଘରୁ ନାବାଳିକା ଅପହରଣ ହୋଇଥିବା ଜାଣି ପରିବାର ଲୋକେ ତାଙ୍କୁ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ । ଶେଷରେ ସମସ୍ତଙ୍କୁ ମୁରିବାହାଲ ରେଳଷ୍ଟେସନ ଅଞ୍ଚଳରୁ ଧରି ମୁରିବାହାଲ ପୁଲିସ ଥାନାର ଜିମା ଦେଇଥିଲେ । ପୁଲିସ ଥାନାରେ ଅପହରଣକାରୀ ଦମ୍ପତିଙ୍କ ସହ ନାବାଳିକା ଝିଅକୁ ଅଟକ ରଖି ଅଧିକ ପଚରାଉଚରା କରୁଥିଲା । ରାତିରେ ଅଟକ ଥିବା ଅଭିଯୁକ୍ତ ମଗଶିର ହଠାତ୍ ଏକ କାଠ ଫାଳିଆରେ ଥାନା ଭିତରେ ତାଙ୍କୁ ଜଗିଥିବା ପୁଲିସ କନେଷ୍ଟବଳ ସୁଦାମ ନାଗଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଆକ୍ରମଣରେ ଥାନା ଭିତରେ ହିଁ ସୁଦାମଙ୍କ ମୁଣ୍ଡ, କାନ ଓ ନାକ ବାଟେ ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ଆଖିରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ପ୍ରଥମେ ମୁରିବାହାଲ ସିଏଚ୍‌ସି ଓ ପରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଶେଷ ଖବର ସୁଦ୍ଧା ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଅତର୍କିତ ଆକ୍ରମଣର ସୁଯୋଗ ନେଇ ମଗଶିର ଥାନାରୁ ଚମ୍ପଟ ମାରିଥିଲା । ପରେ ଥାନାର ସମସ୍ତ ପୁଲିସ ଟିମ ବିଭିନ୍ନ ରାସ୍ତା ସିଲ କରି ତନାଘନା ତଦନ୍ତ ସହ ଅଭିଯୁକ୍ତଙ୍କୁ କାବୁ କରି ବଡିଭୋରରୁ ପୁଣି ଆଣି ଥାନାରେ ଅଟକ ରଖିଥିଲେ । ଜଣେ ନାବାଳିକାଙ୍କୁ ଅପହରଣ ସହ ଥାନା ଭିତରେ କାର୍ଯ୍ୟରତ ଜଣେ ପୁଲିସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଫେରାର ଅଭିଯୁକ୍ତଙ୍କୁ ଅଟକ ରଖି କଣ୍ଟାବାଞ୍ଜି ଏସ୍‌ଡିପିଓଙ୍କ ନେତୃତ୍ୱରେ ଥାନା ପୁଲିସ ବାରମ୍ବାର ଜେରା କରି ତାଙ୍କୁ ଗିରଫ କରିଥିଲା । ପୁଲିସ ନାବାଳିକାଙ୍କ ଡାକ୍ତରୀ ମାଇନା କରିବା ସହ ୧୬୪ବୟାନ ରେକର୍ଡ କରିଥିଲା । ଥାନା ଆଇଆଇସିଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦନ ଓରାମ ଥାନାର ସମ୍ପୂର୍ଣ୍ଣ ଦାୟିତ୍ୱରେ ଥିଲେ । ନାବାଳିକାଙ୍କ ମା ଗୁନଦେଇ ପରାଭୋଇ ନିଜ ଝିଅକୁ ଅପହରଣ ଅଭିଯୋଗରେ ଦେଇଥିବା ଏତଲା ଆଧାରରେ ପୁଲିସ କେସ୍‌ ନଂ ୮୯/୨୫ରେ ମାମଲା ରୁଜ୍ଜୁ କରି ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦନ ଓରାମ ଘଟଣାର ତଦନ୍ତ କରୁଥିଲେ । ସେହିପରି କାର୍ଯ୍ୟରତ କନେଷ୍ଟବଳ ସୁଦାମ ନାଗଙ୍କୁ ଥାନା ଭିତରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୁକ୍ତ ଦମ୍ପତିଙ୍କ ବିରୁଦ୍ଧରେ ଡିସିଓ ଦାୟିତ୍ୱରେ ଥିବା ଏସ୍‌ଆଇ ପଙ୍କଜିନୀ ବାଗଙ୍କ ଏତଲାରେ କେସ୍‌ ନଂ ୯୦/୨୫ ଦଫାରେ ମାମଲା ରୁଜ୍ଜୁ କରି ଥାନା ଏସ୍‌ଆଇ ପ୍ରମୋଦ କୁମାର ପଧାନ ଘଟଣାର ତଦନ୍ତ କରୁଥିଲେ । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି କଣ୍ଟାବାଞ୍ଜି ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.