ପିପି ଏକାଡେମୀରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ଅନ୍ୟତମ ସୁପ୍ରତିଷ୍ଠିତ ଉଚ୍ଚ ବିଦ୍ୟାଳୟ ପତିତ ପାବନ ଏକାଡେମୀରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଥିବା ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସିନୁସୁନ୍ଦର ପାଢୀ ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ଯୋଗ ଦେଇଥିଲେ ନାଗରିକ କମଟିର ସଭାପତି ବିକ୍ରମାନନ୍ଦ ବହିଦାର, ବଲାଙ୍ଗିର ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ, ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କ ସୁପୁତ୍ର ସନ୍ତୋଷ କୁମାର ପଣ୍ଡା ଓ ପଙ୍କଜିନି ପଣ୍ଡା । ଆଲୁମ୍ନିର ସଭାପତି ଭାବେ ସୟଦ ଆଫତାବ ହୁସେନ ମଂଚାସୀନ ଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ବିଶ୍ୱନାଥ ଶତପଥି ଓ ସ୍ୱର୍ଗତ ସତ୍ୟ ନାରାୟଣ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ବିଦ୍ୟାଳୟର ଆନୁସାଂଗିକ ଭିତ୍ତିଭୂମି ଗଢି ତୋଳିବା ସଙ୍ଗେ ଶୈକ୍ଷିକ ସ୍ତରରେ ମଧ୍ୟ କିଭଳି ଉନ୍ନତି ଆସିବ ସେ ନେଇ ଆଲୋଚନା ହୋଇଥିଲା । ବିଦ୍ୟାଳୟର ହୃତ ଗୌରବକୁ ଫେରାଇ ଆଣିବା ପାଇଁ ମଧ୍ୟ ମତ ଉଠିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଭିନବ ଯୋଜନା ହେଉଛି ମୋ ସ୍କୁଲ ଯୋଜନା । ଏହି ଯୋଜନା ମାଧ୍ୟମରେ ବିଦ୍ୟାଳୟମାନଙ୍କର ପୁରାତନ ଛାତ୍ରମାନଙ୍କୁ ଯୋଡିବା ଓ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ହେଉଛି ମୂଳଲକ୍ଷ୍ୟ । ଛାତ୍ରମାନେ ବିଦ୍ୟାଳୟକୁ ଯେତେ ସହଯୋଗ ରାଶି ଦେବେ ସରକାର ତାର ଦୁଇଗୁଣା ସହାୟତା ରାଶି ପ୍ରଦାନ କରିବେ । ଏହା ଦ୍ୱାରା ବିଦ୍ୟାଳୟର ବହୁବିଧ ଉନ୍ନତି ହୋଇପାରିବ । ୩ ବର୍ଷ ମଧ୍ୟରେ ଏହି ବିଦ୍ୟାଳୟର ସମସ୍ତ ଶ୍ରେଣୀକୁ ଡିଜିଟାଲାଇଜ କରାଯିବ ବୋଲି ପ୍ରଧାନ ଶିକ୍ଷକ କହିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ପ୍ରଭାସ କୁମାର ପାଣିଗ୍ରାହୀ, ଶଶୀଭୂଷଣ ପୁରୋହିତ, ହେମନ୍ତ କୁମାର ପଣ୍ଡା, ସଂଜୟ ରଥ, ମନୋରଞ୍ଜନ ସାହୁ, ବାସୁଦେବ ରଥ, ନାସିର ହୁସେନ ଓ ଲକ୍ଷ୍ମଣ ଅଗ୍ରୱାଲ ପ୍ରମୁଖ ମୋ ସ୍କୁଲ ଅଭଯାନକୁ ସ୍ୱାଗତ କରିବା ସହିତ ଆଗାମୀ ଦିନରେ ବିଦ୍ୟାଳୟ ସହ ଯୋଡି ହୋଇ ସମସ୍ତ ପ୍ରକାର ସହଯୋଗ କରିବାକୁ କହିଥିଲେ । ଏହି ଅବସରରେ ବିଦ୍ୟାଳୟକୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ସହିଦ ଆଫତାବ ହୁସେନ, ବାପୁନୀ କୁମାର ସାହୁ, ରଂଜୟ ଦାସ, ଜଗତାତ୍ମା କର, ସବ୍ୟସାଚୀ ପଣ୍ଡା ଓ ପତିତପାବନ ପାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏମାନେ ପ୍ରାୟ ୩ ଲକ୍ଷରୁ ଅଧିକ ଅର୍ଥରାଶି ସହାୟତା କରିଛନ୍ତି । ଶେଷରେ ସହକାରୀ ଶିକ୍ଷକ ଝୁନୁଲତା ସାବତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.