oom

ସାନ-ଆର୍ୟ୍ୟପଲ୍ଲୀ ଗ୍ରାମରେ ଥିବା ସରକାରୀ ଜମି ହଡପ ଘଟଣାର ତଦନ୍ତ କଲେ ଛତ୍ରପୁର ତହସିଲଦାର : ଗୃହନିର୍ମାଣ କାର୍ୟ୍ୟ ସ୍ଥଗିତ କରିବାକୁ ନିର୍ଦ୍ଦେଶ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ ଅନ୍ତର୍ଗତ ଆର୍ୟ୍ୟପଲ୍ଲୀ ମୌଜାର ସାନ-ଆର୍ୟ୍ୟପଲ୍ଲୀ ଗ୍ରାମରେ ଥିବା ପତିତ ଅନାବାଦୀ ଜମିକୁ ବେଆଇନ ଭାବେ କିଛି ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ନେଇ ବିଭାଗୀୟ ତହସିଲ କର୍ତ୍ତୃପକ୍ଷ ଦୃଢ଼ ପଦକ୍ଷେପ ନେଇଥିବା ଜଣାଯାଇଛି । ଜମି ମାଫିଆମାନେ ହାତେଇଥିବା ସାଂଗକୁ ସେଠାରେ ପ୍ଲଟ କରିଥିବା ବ୍ୟକ୍ତିମାନେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିବା ଆରମ୍ଭ କରିସାରିଛନ୍ତି ବୋଲି ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇ ହୋଇଛି । ଏହି ଅଭିଯୋଗକୁ ଭିତ୍ତିକରି ପ୍ରଶାସନ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଗ୍ରାମର କିଛି ଯୁବଗୋଷ୍ଠୀ ଗ୍ରାମରେ ଥିବା ଅନାବାଦୀ ସରକାରୀ ଜମିରେ ଗ୍ରାମର ଗୋରୁଗାଈ ଚରୁଥିବା ସହ ଏହି ଜମିକୁ ଗ୍ରାମର ଯେକୌଣସି ଉନ୍ନୟନମୂଳକ କାର୍ୟ୍ୟରେ ଲଗାଯାଇ ପାରିବ ବୋଲି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ଏବଂ ଏହାର ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ଲୋକେ ଦାବୀ କରିଥିଲେ। ଏହାପରେ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ ଛତ୍ରପୁର ତହସିଲଦାର ପଦକ୍ଷେପ ଗ୍ରହଣ କରିଥିଲେ । ଛତ୍ରପୁର ତହସିଲ କାର୍ୟ୍ୟାଳୟ ପକ୍ଷରୁ ଆର.ଆଇ., ଅମିନ ଓ ଅନ୍ୟ କର୍ମଚାରୀମାନେ ଉକ୍ତ ଗ୍ରାମକୁ ଯାଇ ରିପୋର୍ଟ ସଂଗ୍ରହ କରିବା ପରେ ଉକ୍ତ ଜମିରେ ବେଆଇନ ଭାବେ ଜବରଦଖଲ କରି ଭିତ୍ତିପ୍ରସ୍ତର ସ୍ଥାପନ, ଗୃହ ନିର୍ମାଣ ଓ ପାଚେରୀ ନିର୍ମାଣ କରୁଥିବା ୮ଜଣ ଲୋକଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ନୋଟିସ୍ କରାଯାଇଥିଲା । ଉକ୍ତ ନୋଟିସ୍ ଆଧାରରେ ଆଜି ୮ଜଣ ତହସିଲ କାର୍ୟ୍ୟାଳୟରେ ତହସିଲଦାର ନୀଳମାଧବ ଭୋଇଙ୍କ ଉପସ୍ଥିତିରେ ଏହାର ଶୁଣାଣି କରାଯାଇଥିଲା । ଏହାର କୌଣସି ଚୂଡ଼ାନ୍ତ ରାୟ ନ ହେଲା ପର୍ୟ୍ୟନ୍ତ ଉକ୍ତ ଜମିରେ କୌଣସି ନିର୍ମାଣ କାର୍ୟ୍ୟ ହୋଇପାରିବ ନାହିଁ ବୋଲି କହିଥିଲେ ଏବଂ ଆଗାମୀ ଦିନରେ ନିଜେ ତହସିଲଦାର ଉକ୍ତ ଜମି ପରିଦର୍ଶନ କରିବେ ବୋଲି କହିଛନ୍ତି । କିନ୍ତୁ ଉକ୍ତ ଜମିକୁ ବେଆଇନ ଭାବେ ବିକ୍ରି କରିଥିବା ଜମି ମାଫିଆମାନେ ଫଇସଲାକୁ ଦଖଲକାରୀଙ୍କ ସପକ୍ଷରେ ନେବା ପାଇଁ ନାନା ପ୍ରକାର ଉଦ୍ୟମ ଆରମ୍ଭ କରିଦେଇଥିବା ସହ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ଅନେକ ପ୍ରକାର ଉଦ୍ୟମ କରାଯାଇଥିବା ନେଇ ମଧ୍ୟ ସାଧାରଣରେ ଏବେ ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.