କରୋନା କାଳର କରୁଣ ସ୍ଥିତି : ସଂକ୍ରମଣକୁ ଭୟ କରି ପାଖ ମାଡିଲେନି ସାହି ପଡିଶା, ସାଇକେଲରେ ବୁହାହେଲା ଶବ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦାୟକ ଦୃଶ୍ୟ । ଭାଲୁଡୁଙ୍ଗୁରି ଗ୍ରାମର ଅଯୋଧ୍ୟା ସାହୁ (୬୦) ଗତ ୧୦ ଦିନ ହେଲା ଜ୍ବରରେ ପୀଡିତ ଥିଲେ । ସୋମବାର ଦିନ ଡାକ୍ତରଖାନାରେ ତାଙ୍କର କୋରୋନା ପରୀକ୍ଷଣ କରିବାରୁ କୋରୋନା ସଂକ୍ରମିତ ଥିବା ଜଣା ପଡିଥିଲା । ତାଙ୍କୁ ଔଷଧ ଦେଇ ଘରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଅତି ଖରାପ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଅଯୋଧ୍ୟା କୋରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଯୋଗୁଁ ସଂକ୍ରମଣ ଭୟରେ ସାହି ପଡିଶା, ଗ୍ରାମବାସୀ, ପରିବାର ଲୋକେ କେହି ବି ପାଖ ମାଡିଲେନି । ଶେଷରେ ପୁଅ ଦାମୋଦର ନିରୁପାୟ ହୋଇ ଡାକ୍ତରଖାନା ଦ୍ବାରା ପ୍ରଦତ୍ତ ପିପିଇ କିଟ୍ ପିନ୍ଧି ଏକ ସାଇକେଲ ଯୋଗେ ମା’ର ଶବକୁ ବାନ୍ଧି ମଶାଣିକୁ ନେଇଥିଲେ । ବାପା ମକାରୁ ସ୍ତ୍ରୀ ଅଯୋଧ୍ୟାଙ୍କ ଶବ ପଛେ ପଛେ ମଶାଣି ପର୍ୟ୍ୟନ୍ତ ଯାଇଥିଲେ । ଏହି ଦୃଶ୍ୟ ହୃଦୟ ବିଦାରକ ଥିଲା । ଏମିତି ଲାଗୁଥିଲା ଯେମିତି ମଣିଷପଣିଆ ଆଉ ଦୁନିଆରେ ନାହିଁ । ପରେ ଖବର ପାଇ କିଛି ସାମାଜିକ କର୍ମୀ ପହଞ୍ଚି ଶବ ସତ୍କାର କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.