- ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା
- ସାଇଣ୍ଟିଫିକ ଟିମର ତଦନ୍ତ, ସ୍ଵାମୀ ଗିରଫ, କୋର୍ଟ ଚାଲାଣ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳିଶିରା ପଞ୍ଚାୟତ ଚିକିନିବାହାଲି ଗ୍ରାମରେ ପ୍ରେମ ବିବାହର କରୁଣ ପରିଣତି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମ ବିବାହ କରିଥିବା ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କ ଶବକୁ ଅତି ତରବରିଆ ଭାବେ ପୋଡ଼ିଦେବାକୁ ନେଇ ତାଙ୍କ ବାପା ହତ୍ୟା ଅଭିଯୋଗ ଆଣିବାରୁ ମହିଳାଙ୍କ ସ୍ୱାମୀଙ୍କୁ ଜେଲ ଯିବାକୁ ପଡ଼ିଛି । ଚିକିନିବାହାଲି ଗ୍ରାମର ଦିନ ଭୋଇ(୭୫)ଙ୍କ ଅଭିଯୋଗ ଆଧାରରେ ତାଙ୍କ ଝିଅ ସଞ୍ଜୁ ଭୋଇ/ଜାନି(୩୨) ଗ୍ରାମର ଜଙ୍ଗଲି ଜାନିଙ୍କ ପୁଅ ପକ୍ଷୀ ଜାନି(୩୯)ଙ୍କୁ ଦଶ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦୁଇ ଜଣ ପୁଅଝିଅ ଅଛନ୍ତି । ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହିଥିଲା । ଗତ ୩୧ତାରିଖ ଦିନ ପାରିବାରିକ ଗଣ୍ଡଗୋଳକୁ ନେଇ ସଞ୍ଜୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଖବର ପାଇ ମୃତ ସଂଜୁଙ୍କ ବାପା ଦିନ ମଧ୍ୟ ପହଞ୍ଚିଥିଲେ । ପରେ ମୃତକଙ୍କ ଶବକୁ ନେଇ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ଶବକୁ ପୋଡ଼ି ଦିଆଯାଇଥିଲା । ଶବ ଦାହ ପରେ ମୃତ ସଞ୍ଜୁଙ୍କ ବାପା ଦିନ ଥାନାକୁ ଆସି ତାଙ୍କ ଝିଅକୁ ତା ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଥିଲେ । ପୁଲିସ କେଶ ନଂ ୦୩/୨୦୨୫ ରୁଜ୍ଜୁ କରି ସ୍ଵାମୀ ପକ୍ଷୀ ଜାନିଙ୍କୁ ଅଟକ ରଖି ତନାଘନା ତଦନ୍ତ ଆରମ୍ଭ କରିଥିଲା । ଗୁରୁବାର ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରି ହାଡ, ପାଉଁଶ ଆଦି ଜବତ କରିଥିଲା । ଅଧିକ ତଦନ୍ତ ପରେ ମହିଳାଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ ସ୍ଵାମୀ ପକ୍ଷୀ ଜାନିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ୍ ପ୍ରକାଶ କରିଛନ୍ତି । ମାଁ ମରିଯିବା ଓ ବାପା ଜେଲ ଯିବା ପରେ ଦୁଇ କୋମଳମତି ଛୁଆ ଅନାଥ ହୋଇଯାଇଛନ୍ତି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।