ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ପ୍ରକୃତି ନିବାସ ଠାରେ ନୃସିଂହନାଥ ବନାଞ୍ଚଳ ଅଧିକାରୀ ହୃଦାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଏକ ପ୍ରକୃତି ପରିଚୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପରିବେଶ ସୁରକ୍ଷା ମଞ୍ଚର ସମ୍ପାଦକ ମୀନକେତନ ସାହୁ, ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ପରିବେଶବିତ୍ ଭୁବନେଶ୍ୱର ପ୍ରଧାନ, ମୁଖ୍ୟବକ୍ତା ଭାବେ ଗନ୍ଧମାର୍ଦ୍ଦନ ବନସ୍ପତି ବନ ସୋସାଇଟିର ସମ୍ପାଦକ ବିଭୂତି ଭୂଷଣ ମୁଣ୍ଡ, ସମ୍ମାନିତ ଅତିଥି ଭାବେ ପ୍ରକୃତିବନ୍ଧୁ ନନ୍ଦଲାଲ ନାୟକ ଯୋଗଦେଇ ବିଶ୍ଵ ଉତ୍ତାପନ, ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା, ଜଙ୍ଗଲ ନିଆଁ ନିରାକରଣ, ଔଷଧୀୟ ବୃକ୍ଷଲତାର ଚିହ୍ନଟ ଓ ପ୍ରୟୋଗ ଉପରେ ମତ ପ୍ରକାଶ କରିଥିଲେ । ଏହି କର୍ମଶାଳାରେ ଶ୍ରୀ ଶ୍ରୀ ସଂସ୍କୃତ ବିଦ୍ୟା ନିକେତନର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଗନ୍ଧମାର୍ଦ୍ଧନ ପର୍ବତ ପରିଭ୍ରମଣ ସମୟରେ ବିଭୂତି ଭୂଷଣ ମୁଣ୍ଡ ଛାତ୍ରଛାତ୍ରୀ ମାନଙ୍କୁ ତଥା ପାଇକମାଲ ଓ ନୃସିଂହନାଥର ଜଙ୍ଗଲ କର୍ମଚାରୀମାନଙ୍କୁ ବିଭିନ୍ନ ଔଷଧୀୟ ବୃକ୍ଷଲତା ଚିହ୍ନଟ କରି ବୃକ୍ଷମାନଙ୍କର ଔଷଧୀୟ ଗୁଣ ବିଷୟରେ ବିଶଦ ଭାବେ ବୁଝାଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ଶେଷରେ ବନପାଳ ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।