ଭୁବନେଶ୍ୱର, (ପିଆଇବି) :ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଏବଂ ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ (ଆଇଟିୟୁ) ସହଭାଗୀତାରେ, ଭୁବନେଶ୍ୱରରେ କାର୍ଯ୍ୟଦକ୍ଷତା ଓ ସେବା ଗୁଣବତ୍ତା ଉପରେ ଏକ ଦୁଇଦିନିଆ କର୍ମଶାଳା ଆରମ୍ଭ ହୋଇଛି । ଏହି ଦୁଇ ଦିନିଆ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଦେଶରୁ ଜାତୀୟ ନିୟାମକ ପ୍ରାଧିକରଣ (ଏନଆରଏ), ସେବା ପ୍ରଦାନକାରୀ ଏବଂ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇଛନ୍ତି । ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ଟେଲିକମ୍ ସେବା-ଗୁଣବତ୍ତା ଢାଞ୍ଚା ଉପରେ ସହଯୋଗ ପ୍ରୟାସକୁ ଆଗକୁ ବଢାଇବା ।
ଶ୍ରୀ ଅତୁଲ କୁମାର ଚୌଧୁରୀ ସେବା-ଗୁଣବତ୍ତା ଢାଞ୍ଚାକୁ ସୁଦୃଢ଼ କରିବାରେ ବିଶ୍ୱସ୍ତରୀୟ ସହଯୋଗର ଗୁରୁତ୍ୱକୁ ରେଖାଙ୍କିତ କରିଥିଲେ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, କନେକ୍ଟିଭିଟି ମ୍ୟାପିଂ, ସାଟେଲାଇଟ୍-ଆଧାରିତ ଗୁଣବତ୍ତା ମୂଲ୍ୟାଙ୍କନ ଏବଂ ଆଞ୍ଚଳିକ ନିୟାମକ ପଦ୍ଧତି ଉପରେ ଆଲୋଚନା ସାମୂହିକ ବୁଝାମଣାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।
ଉଦଘାଟନୀ ଅଧିବେଶନରେ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପେମାସାନି ଚନ୍ଦ୍ର ଶେଖରଙ୍କ ଏକ ଭିଡିଓ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା । ସେ ନାଗରିକମାନଙ୍କ ପାଇଁ ନିର୍ଭରଯୋଗ୍ୟ ଏବଂ ଉଚ୍ଚ-ଗୁଣବତ୍ତା ସଂଯୋଗ ଉପରେ ଭାରତର ଫୋକସ୍ ଉପରେ ଗୁରୁତ୍ୱାରୋପ କରିଥିଲେ, ଟେଲିକମ୍ୟୁନିକେସନ୍ ଆଇନ, ୨୦୨୩ ଅନୁଯାୟୀ ସେବା ଗୁଣବତ୍ତା ସୁଦୃଢ଼ କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ ଏବଂ ବିଶ୍ୱ ମାନଦଣ୍ଡ ଏବଂ ସର୍ବୋତ୍ତମ ଅଭ୍ୟାସକୁ ଆଗକୁ ବଢ଼ାଇବାରେ ଟ୍ରାଇ ଏବଂ ଆଇଟିୟୁର ମିଳିତ କାର୍ଯ୍ୟକୁ ସ୍ୱାଗତ କରିଥିଲେ ।
ଏହି ଅଧିବେଶନରେ ଆଇଟିୟୁ ଟେଲିକମ୍ୟୁନିକେସନ୍ ମାନକୀକରଣ ବ୍ୟୁରୋ (ଆଇଟିୟୁ-ଟିଏସବି) ନିର୍ଦ୍ଦେଶକ ଶ୍ରୀ ସେଜୋ ଓନୋଙ୍କ ଏକ ଭିଡିଓ ବାର୍ତ୍ତା ମଧ୍ୟ ପ୍ରଦର୍ଶିତ ହୋଇଥିଲା । ସମାନ ଡିଜିଟାଲ୍ ପରିବର୍ତ୍ତନକୁ ସକ୍ଷମ କରିବାରେ ସମନ୍ୱିତ କ୍ୟୁଓଏସ୍ ମାନଦଣ୍ଡର ବିଶ୍ୱବ୍ୟାପୀ ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ ।
ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଆଇଏଏସ ସାର୍ବଜନୀନ ସୁରକ୍ଷା ଏବଂ ବିପର୍ଯ୍ୟୟ-ପରିଚାଳନା ବ୍ୟବସ୍ଥାରେ ଟେଲିକମ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କଥା ଉଲ୍ଲେଖ କରିଥିଲେ । ଘୂର୍ଣ୍ଣିବାତ୍ୟା ଏବଂ ସୁନାମି ସତର୍କତା ସହିତ ଓଡ଼ିଶାର ଅଭିଜ୍ଞତାକୁ ଉର୍ଦ୍ଧୃତ କରି, ସେ ଅନ୍ତର୍ଭୁକ୍ତ ଅଭିବୃଦ୍ଧି, ଆର୍ଥିକ ବିକାଶ ଏବଂ ଦକ୍ଷ ସାର୍ବଜନୀନ-ସେବା ପ୍ରଦାନକୁ ସକ୍ଷମ କରିବାରେ ଟେଲିକମ ସେବାର କେନ୍ଦ୍ରୀୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଜି ପ୍ରାୟ ପ୍ରତ୍ୟେକ କଲ୍ୟାଣକାରୀ ବ୍ୟବସ୍ଥା ଯୋଗାଯୋଗ ଉପରେ ନିର୍ଭର କରେ ବୋଲି ଉଲ୍ଲେଖ କରି, ସେ ଗୁରୁତ୍ୱାରୋପ କଲେ ଯେ ସମୟୋଚିତ ଚେତାବନୀ ଏବଂ ସ୍ଥିର ସେବା ପ୍ରଦାନ ପାଇଁ ଦୃଢ଼ କ୍ୟୁଓଏସ ଏବଂ କ୍ୟୁଓଇ ବ୍ୟବସ୍ଥା ଅପରିହାର୍ଯ୍ୟ ।
ଉଦଘାଟନୀ ଭାଷଣ ଦେଇ, ଟ୍ରାଇର ଅଧ୍ୟକ୍ଷ ଶ୍ରୀ ଅନୀଲ କୁମାର ଲାହୋଟି ଏକ ଡିଜିଟାଲ୍ ଅନ୍ତର୍ଭୁକ୍ତିମୂଳକ ଟେଲିକମ୍ ଇକୋସିଷ୍ଟମ୍ ନିର୍ମାଣରେ ଭାରତର ଅଗ୍ରଗତି ଏବଂ ଦୈନନ୍ଦିନ ଜୀବନରେ ସଂଯୋଗୀକରଣର ପରିବର୍ତ୍ତନକାରୀ ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ୧୨୩ କୋଟି ଟେଲିକମ ଗ୍ରାହକ ଓ ପ୍ରାୟ ୯୯ ପ୍ରତିଶତ ୪ଜି କଭରେଜ ସହ ଭାରତ ବିଶ୍ବର ସବୁଠାରୁ ଦ୍ରୁତଗତିରେ ୫ଜି ସେବା କାର୍ଯ୍ୟକ୍ଷମ କରିଥିଲା । ସେ କହିଥିଲେ ଯେ, ଭାରତ ସୁଲଭ ମୂଲ୍ୟରେ ଉଚ୍ଚ ଡାଟା ଉପଯୋଗ ରେକର୍ଡ କରିଚାଲିଛି । ଏହା ଫଳରେ ସମାଜର ସବୁ ସାମାଜିକ ଓ ଅର୍ଥନାତିକ ବର୍ଗଙ୍କ ନିକଟକୁ ଡିଜିଟାଲ ସଂଯୋଗ ସୁନିଶ୍ଚିତ କରାଯାଇପାରୁଛି ।
ଶ୍ରୀ ଲାହୋଟି କହିଥିଲେ ଯେ, ସହରାଞ୍ଚଳ-ଗ୍ରାମାଞ୍ଚଳ ବିଭେଦକୁ ଦୂର କରିବା, ମୋବାଇଲ୍-ଆଧାରିତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଟେଲିକମ୍ୟୁନିକେସନ୍ ଆଇନ, ୨୦୨୩ ଅନୁଯାୟୀ ପ୍ରକ୍ରିୟାଗତ ଢାଞ୍ଚାକୁ ସରଳ କରିବା କ୍ଷେତ୍ରରେ ଭାରତ ବିଶ୍ବର ଅନ୍ୟ ଉଦୀୟମାନ ଅର୍ଥନୀତିମାନଙ୍କ ପାଇଁ ଏକ ମଡେଲରେ ପରିଣତ ହେଉଛି ।
ସେ ସେବା-ଗୁଣବତ୍ତା ମୂଲ୍ୟାଙ୍କନରେ ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ଟ୍ରାଇର ସେବା ଗୁଣବତ୍ତା ମୂଲ୍ୟାଙ୍କନ ଫ୍ରେମୱାର୍କକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ । ଘର ଭିତରେ ଅଧିକ ଡାଟା ବ୍ୟବହାର ହେଉଥିବା ଦୃଷ୍ଟିରୁ ଇନଡୋର୍ କନେକ୍ଟିଭିଟି (ଘରଭିତରର ସଂଯୋଗୀକରଣ)ର ବର୍ଦ୍ଧିତ ଆବଶ୍ୟକତା ଉପରେ ସେ ଗୁରୁତ୍ବ ଦେଇଥିଲେ ।
ଏହି ଅବସରରେ ଧନ୍ୟବାଦ ଅର୍ପଣ କରି ଆଇଟିୟୁର ଅଧ୍ୟୟନ ଗୋଷ୍ଠୀ ପରାମର୍ଶଦାତା ଶ୍ରୀ ମାର୍ଟିନ୍ ଆଡୋଲଫ୍ ଏହି କର୍ମଶାଳା ଆୟୋଜନ କରିବା ପାଇଁ ଟ୍ରାଇ ଏବଂ ଓଡ଼ିଶା ସରକାରଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ ସମସ୍ତ ପ୍ରତିନିଧିଙ୍କ ଅବଦାନକୁ ସ୍ୱୀକାର କରିବା ସହ କହିଥିଲେ ଯେ ସମ୍ମିଳନୀର ଆଲୋଚନାଗୁଡ଼ିକ ବିଶ୍ୱସ୍ତରୀୟ କ୍ୟୁଓଏସ ଏବଂ କ୍ୟୁଓଇ ଫ୍ରେମୱାର୍କକୁ ସୁଦୃଢ଼ କରିବା ପାଇଁ କ୍ୟୁଏସଡିଜିର ଭବିଷ୍ୟତ କାର୍ଯ୍ୟକୁ ସିଧାସଳଖ ସୂଚିତ କରିବ ।
ଉଦଘାଟନୀ ଅଧିବେଶନ ବ୍ୟତିତ ଏହି କର୍ମଶାଳାର ପ୍ରଥମ ଦିନରେ କନେକ୍ଟିଭିଟି ମ୍ୟାପିଂ, ସାଟେଲାଇଟ ସର୍ଭିସ ପରଫର୍ମାନ୍ସ, ମେଜରମେଣ୍ଟ ଆଦି ୪ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । କର୍ମଶାଳାର ୨ୟ ଦିବସ ଅର୍ଥାତ ୫ ତାରିଖରେ ସେବା ଗୁଣବତ୍ତା ବିକାଶ ଗ୍ରୁପର ବୈଠକ ସମେତ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହେବ ।
ଏହି କର୍ମଶାଳାର ଲକ୍ଷ୍ୟ ହେଉଛି କ୍ୟୁଓଏସ ଏବଂ କ୍ୟୁଓଇ ପରିଚାଳନାରେ ପ୍ରମୁଖ ଆହ୍ଵାନଗୁଡ଼ିକୁ ଗଭୀର ଭାବରେ ବୁଝିବା ଏବଂ ନିୟାମକ ସଂସ୍ଥା ଏବଂ ସେବା ପ୍ରଦାନକାରୀଙ୍କ ପାଇଁ କାର୍ଯ୍ୟକ୍ଷମ ସର୍ବୋତ୍ତମ ଅଭ୍ୟାସ ବିକଶିତ କରିବାରେ ସାହାଯ୍ୟ କରିବା ।
ଏହି କାର୍ଯ୍ୟକ୍ରମରେ ଏସିଆ, ଆଫ୍ରିକା ଏବଂ ୟୁରୋପରୁ ପ୍ରାୟ ୧୫୦ ଜଣ ଅଂଶଗ୍ରହଣକାରୀ ବ୍ୟକ୍ତିଗତ ଏବଂ ଭର୍ଚୁଆଲ୍ ଭାବରେ ଯୋଗ ଦେଇଥିଲେ । ଏଥିରେ ଓପନସିଗନାଲ, ଓକଲା ଓ କିସାଇଟ ଟେକନଲୋଜୀ ସମେତ ୩୯ଟି ଦେଶର ନିୟାମକ କର୍ତ୍ତୃପକ୍ଷ, ଅପରେଟର, ପ୍ରଯୁକ୍ତିବିଦ୍ୟା ବିକ୍ରେତା ଏବଂ ପରିମାପ ଉପରକରଣ ବିଶେଷଜ୍ଞ ସାମିଲ ଥିଲେ ।