ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନଙ୍କ ନିମନ୍ତେ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ କାର୍ମଶାଳା

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସଂସ୍କୃତି ଭବନଠାରେ ସୁନ୍ଦରଗଡ଼ ଜିଲ୍ଲାର ଭିନ୍ନ ଭିନ୍ନ ମହାବିଦ୍ୟାଳୟ ମାନଙ୍କରୁ ଆସିଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କ ଲାଗି ସଷ୍ଟେନେବଲ୍ ଡେଭେଲପମେଣ୍ଟ ଗୋଲ୍ ବା ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ଏକ ଜିଲ୍ଲା ସ୍ତରୀୟ କାର୍ମଶାଳା ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୁଶୀଳା ଟପ୍ପୋଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଭିନ୍ନ ଭିନ୍ନ ମହାବିଦ୍ୟାଳୟ ମାନଙ୍କରୁ ଆସିଥିବା ଅନ୍ୟୁନ ୧୫୦ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କୁ ନିରନ୍ତର ବିକାଶ ଲକ୍ଷ୍ୟ ଅଧିନସ୍ଥ ୧୭ ଗୋଟି ଲକ୍ଷ୍ୟ, ତତ୍‌ ସମ୍ବନ୍ଧୀତ ୧୬୯ ଗୋଟି ଟାର୍ଗେଟ ଏବଂ ଏହି ଟାର୍ଗେଟ ମାନଙ୍କ ସହ ଜଡ଼ିତ ୩୧୧ ଇଣ୍ଡିକେଟର ବା ସୂଚକାଙ୍କ, ଇତ୍ୟାଦି ବିଷୟରେ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ଡୁଡୁକା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ମିଶ୍ର ୧୭ ଗୋଟି ଲକ୍ଷ୍ୟକୁ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନଙ୍କ ସମ୍ମୁଖରେ ଅତ୍ୟନ୍ତ ପ୍ରାଞ୍ଜଳ ଭାବେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ରାଉରକେଲା ସ୍ଥିତ ରାଷ୍ଟ୍ରୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ପ୍ରଫେସର କାକୋଲି ପଲ୍ ଏବଂ ପ୍ରଫେସର ବିକାଶ ଚନ୍ଦ୍ର ମହାରାଜ ବର୍ତ୍ତମାନ ସମୟରେ ନିରନ୍ତର ବିକାଶ ଲକ୍ଷ୍ୟରେ ବର୍ଣ୍ଣିତ ବିଷୟ ଆମର ଭବିଷ୍ୟତ ପିଢି ଲାଗି କେତେ ଜରୁରୀ, ସେ ସମ୍ବନ୍ଧରେ ନିତିଦିନିଆ କାର୍ଯ୍ୟର ଉଦାହରଣ ତଥା ପ୍ରତିଷ୍ଠାନର କ୍ୟାମ୍ପସ ରେ କି କି ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ନିରନ୍ତର ବିକାଶ ଲକ୍ଷ୍ୟକୁ ହାସଲ କରାଯାଇ ପାରିବ, ଉପସ୍ଥିତ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନଙ୍କୁ ବୁଝାଇଥିଲେ । ସୁନ୍ଦରଗଡ଼ ସ୍ଥିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସହଯୋଗୀ ଅଧ୍ୟାପକ ଡ଼ଃ. ପ୍ରଦୀପ କୁମାର ଭୋଇ, ଅନ୍ୟତମ ବକ୍ତା ଭାବରେ ଯୋଗ ଦେଇ ପ୍ରେଜେଣ୍ଟେସନ ମାଧ୍ୟମରେ ଗୋଲ୍ ୩ରେ ଥିବା ସୁସ୍ଥ ଓ ନିରାମୟ ଜୀବନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କରିଥିଲେ । ସଦର ବ୍ଲକ୍‌ର ଅବସରପ୍ରାପ୍ତ କୃଷି ଅଧିକାରୀ ଉଦିତ କୁମାର ନାଏକ ଜଳବାୟୁ ଭିତ୍ତିକ କାର୍ଯ୍ୟ କିପରି କୃଷି କାର୍ଯ୍ୟକୁ ପ୍ରଭାବିତ କରୁଛି ତାହା ସମ୍ବନ୍ଧରେ ବିସ୍ତୃତ ଭାବରେ ଉପାଦେୟ ଆଲୋଚନା କରିଥିଲେ । ରାଉରକେଲା ରାଷ୍ଟ୍ରୀୟ ପ୍ରଯୁକ୍ତି ପ୍ରତିଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ମହାବିଦ୍ୟାଳୟରେ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧିତ କି କି ପ୍ରକାର କାର୍ଯ୍ୟ ହାତକୁ ନେଇଛନ୍ତି ସେ ବିଷୟରେ ଆଲୋଚନା କରିଥିଲେ । ସୁନ୍ଦରଗଡ ସରକାରୀ ସେବିକା ମହାବିଦ୍ୟାଳୟରୁ ଆସିଥିବା ଛାତ୍ରୀ ଅଭିଲିପ୍ସା ଷଡ଼ଙ୍ଗୀ, ନିରନ୍ତର ବିକାଶ ଲକ୍ଷ୍ୟର ୧୭ ଗୋଟି ଗୋଲ୍ ଓ ସରକାରଙ୍କ କେଉଁ ଯୋଜନା ଏହି ୧୭ ଗୋଟି ଗୋଲ୍‌କୁ ସହଯୋଗ କରୁଛି ସେ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ମୁକ୍ତ ଆଲୋଚନା ମାଧ୍ୟମରେ ବିଭିନ୍ନ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମର ଅନ୍ତିମ ଚରଣରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଓଡିଆ ସ୍ନାତୋକତ୍ତର ବିଭାଗର ମୁଖ୍ୟ ଅଧ୍ୟାପକ ନୂତନ ଖମାରି ନିରନ୍ତର ବିକାଶ ଲକ୍ଷ୍ୟ କିଭଳି ଭାବରେ ଆଗାମୀ ପିଢିର ଭବିଷ୍ୟତ ସୁରକ୍ଷିତ ରଖିବାରେ ସକ୍ଷମ ଏବଂ ସ୍ୱୟଂ ସମ୍ପୂର୍ଣ୍ଣ ସେ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଯୋଜନା କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ତିର୍କୀ ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଯୋଜନା କାର୍ଯ୍ୟାଳୟର ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୁଶିଳା ଟପ୍ପୋ କାର୍ଯ୍ୟକ୍ରମର ଉପସଂହାର ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଯୋଜନା କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.