ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଆନୁକୂଲ୍ୟରେ ଫ୍ଲାଏ ଆସ୍ ଉପଯୋଗ କରି ନିମ୍ନ ଓ ଖାଲୁଆ ଭୂମିମାନଙ୍କୁ ବ୍ୟବହାର ଉପଯୋଗୀ କରିବା ନେଇ ଏକ କର୍ମଶାଳା ଝାରସୁଗୁଡା ଆଂଚଳିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫ୍ଲାଏ ଆସ୍ ଉପଯୋଗୀ ସମ୍ବନ୍ଧୀୟ କାର୍ଯ୍ୟକାରୀ ପ୍ରକ୍ରିୟା (ଏସ୍ଓପି) ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଂଚଳିକ ଅଧିକାରୀ ଡଃ. ଅନୁପ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ । ଝାରସୁଗୁଡା ଆଞ୍ଚଳିକ ଅଧିକାରୀ ହିରଣ୍ୟ କୁମାର ନାୟକ, ସମ୍ବଲପୁରୀ ଆଂଚଳିକ ଅଧିକାରୀ ଡଃ. ସତ୍ୟ ନାରାୟଣ ନନ୍ଦ, ପରିବେଶ ବୈଜ୍ଞାନିକ ଶ୍ରୀମତୀ ଅନୁସା ଏକ୍କା ମଧ୍ୟ କାର୍ଯ୍ୟକାରୀ ପ୍ରକ୍ରିୟା ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ସୁନ୍ଦରଗତ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ସମସ୍ତ ତାପଜ ବିଦ୍ୟୁତ କାରଖାନା ଗୁଡିକୁ ସଚେତନ କରିବା ନିମନ୍ତେ ଉକ୍ତ କର୍ମଶାଳା ଆୟୋଜିତ ହୋଇଥିଲା । କାର୍ଯ୍ୟକାରୀ ପ୍ରକ୍ରିୟାରେ ଫ୍ଲାଏ ଆସ୍ ଉପଯୋଗ ପାଇଁ ପରିବେଶ ଉପଯୋଗୀ ନିମ୍ନଭୂମି ତଥା ପରିତ୍ୟକ୍ତ ପଥର ଖାଦାନ ଚିହ୍ନଟ, ସ୍ଥାନ ନିରୂପଣ, ଯାଂଚ, ପ୍ରାକ୍-ଉପଯୋଗ ଓ ଉପଯୋଗ ପରବତ୍ର୍ତ୍ତୀ ପ୍ରକ୍ରିୟା ସମ୍ବନ୍ଧରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା । ବିଭିନ୍ନ ତାପଜ କାରଖାନା ମଧ୍ୟରୁ ଏନ୍ଟିପିସି ଦର୍ଲିପାଲିରୁ ଦେବଦତ ପଟେଲ, ଓପିଜିସିରୁ ସୀତାରାମ ସାହୁ, ବେଦାନ୍ତ ଲିଃରୁ ଡଃ. ଅମିତ କୁମାର ତ୍ୟାଗି, ଏଇଟିପିଏସ୍ରୁ ପାର୍ଥସାରଥୀ ପଣ୍ଡା ଓ ରାହୁଲ ଓଝା, ଜେଏସ୍ସଡବ୍ଲ୍ୟୁରୁ ନିରଞ୍ଜନ ପଣ୍ଡା, ବେଦାନ୍ତ ଲିଃରୁ ସୁଶୀଲ ସିଂ, ଜେଏସ୍ଡବ୍ଲ୍ୟୁରୁ ବାଲିରାମ ଯାଦବ ପ୍ରମୁଖ ଯୋଗଦାନ କରିଥିଲେ । ଅଣ ଅନୁମତି ପ୍ରାପ୍ତ ସ୍ଥାନରେ ଫ୍ଲାଏ ଆସ୍ ଚିହ୍ନଟ ହେଲେ ନିକଟସ୍ଥ ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ସନ୍ଦେହ ଘେରକୁ ନିଆଯାଇ ସମ୍ପୃକ୍ତ କାରଖାନା କର୍ତୃପକ୍ଷଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଥିଲା । ନିୟମ ଖିଲାପକାରୀ ଏବଂ ଆସ୍ ପରିବହନରେ ଆବଶ୍ୟକ ଏସ୍ଓପିର ବ୍ୟତିକ୍ରମ କିମ୍ବା ଉଲ୍ଲଙ୍ଘନ ଦେଖାଗଲେ ଫ୍ଲାଏ ଆସ୍ ଅଧିନିୟମ ୨୦୨୧ର ଧାରା ଅନୁଯାୟୀ ଆନୁପାତିକ ପରିବେଶଗତ କ୍ଷତିପୂରଣ ଆଦାୟ କରାଯିବା ନେଇ ସଚେତନ କରାଯାଇଥିଲା ।