jayashree

ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଗତକାଲି ‘ଗଣମାଧ୍ୟମର ଆତ୍ମ ବିଶ୍ଳେଷଣ ଓ ଲିଙ୍ଗଗତ ସାମ୍ୟତା’ ଶୀର୍ଷକ କର୍ମଶାଳା ଆୟୋଜିତ ହୋଇସାରିଛି । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ କହିଛନ୍ତି ଯେ, ସାମ୍ବାଦିକତା ହେଉଛି ଜ୍ଞାନର ଏକ ଅଂଶ । ସାମ୍ବାଦିକ ରାଷ୍ଟ୍ର ଗଠନରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇଥାଏ । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ସମାଜ ଜାତି, ଲିଙ୍ଗ ଓ ବର୍ଗ ଭିତ୍ତିରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ ହୋଇ ବହୁ ସମସ୍ୟାର ସୂତ୍ରଧର ପାଲଟିଛି । ଫଳରେ ଦେଶର ସାମାଜିକ କ୍ଷେତ୍ର ଅବକ୍ଷୟ ହେବାରେ ଲାଗିଛି । ତେଣୁ ଗଣମାଧ୍ୟମକୁ ସଚେତନ ହେବାକୁ ପଡ଼ିବ । ଭାରତୀୟ ସମାଜର ପ୍ରଗତି ପଥରେ ବାଧା ଦୂରୀକରଣ ପାଇଁ ଶିକ୍ଷା ହିଁ ଏକ ମାତ୍ର ମାଧ୍ୟମ ଏବଂ ଏହାହିଁ ବର୍ତ୍ତମାନ ସମୟର ଆହ୍ୱାନ । ରାଷ୍ଟ୍ରର ବିକାଶ କ୍ଷେତ୍ରରେ ଗଣମାଧ୍ୟମ କେତେ ମାତ୍ରାରେ ସହଯୋଗ କରୁଛି ସେନେଇ ଆତ୍ମଚିନ୍ତନ କରିବା ଆବଶ୍ୟକ ବୋଲି ପ୍ରଫେସର ମଲ୍ଲିକ କହିଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ମୁଖ୍ୟ ଡ. ବନ୍ଦିତା ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଗଣମାଧ୍ୟମର ଭୂମିକା ସବୁବେଳେ ସକାରାତ୍ମକ ଭାବେ ସମାଜ ନିର୍ମାଣ ପାଇଁ ଉତ୍ସର୍ଗୀକୃତ ହେବା ଉଚିତ୍‌ । ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସଂଯୋଜିକା ପ୍ରଫେସର ପଦ୍ମାଳୟା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ପଣ୍ଡା, ସହକାରୀ ପ୍ରଫେସର ଡ. ହେମନ୍ତ କୁମାର ଦାଶ ଓ ଡ. ଜ୍ୟୋତିର୍ମୟୀ ଟୁଡୁ ବକ୍ତବ୍ୟ ରଖିଥିଲେ । ଡ.ରମାକାନ୍ତ ମହାନନ୍ଦ ଧନ୍ୟବାଦ ଦେଇଥିଲେ । ଛାତ୍ରୀ ସୁଦେଷ୍ଣା ଲେଙ୍କା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.