କଳାହାଣ୍ଡି, (ହେମନ୍ତ ସାହୁ) : ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱରର ମିଳିତ ସହଯୋଗରେ ମ.ରାମପୁର ବ୍ଲକର ବମକ ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ବମକ ଠାରେ ଏକ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସରପଞ୍ଚ ରୋମାଞ୍ଚ ସାହୁ, ବିଜୟ କୁମାର ସାମଲ, ବମକ ଗ୍ରାମପଞ୍ଚାୟତ ପିଇଓ, ସମିତି ସଭ୍ୟା ସଂଗୀତା ମାଝୀ, ନାଏବ ସରପଞ୍ଚ ଯୁବରାନୀ ସାହୁ, ଏମ୍ବିଜେ ନିଲେନ୍ଦ୍ରି ସାହୁ ଓ ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ତଥା ତାଲିମଦାତା ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉଦ୍ଘାଟନ କରିଥିଲେ । ଏହି କର୍ମଶାଳାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନରୁ ପାଇଥିବା ଋଣର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟର ଆୟରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ କରୁଥିଲେ ଆବଶ୍ୟକ ସତର୍କତାର ବିଭିନ୍ନ ଦିଗ ବିଷୟରେ ସମ୍ବଳ ବ୍ୟକ୍ତିମାନେ ଅଂଶଗ୍ରହଣକାରୀ ମାନଙ୍କୁ ବୁଝାଇଥିଲେ । ବିଭିନ୍ନ ଅଜଣା ନମ୍ବରରୁ ଆସୁଥିବା ଫୋନରେ ନିଜର କୌଣସି ଗୋପନୀୟ ତଥ୍ୟ ନ ଦେବାପାଇଁ ସୂଚନା ଦିଆଯାଇଥିଲା । ପରିବାରର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ । ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚକୁ ଆକଳନ କରି ପରିବାରକୁ ଠିକ୍ ଭାବେ ପରିଚାଳନା କରିପାରିବେ । କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ସାହୁ ଓ ମମିତା ପୁଝାରୀ ଯୋଗଦେଇ ତାଲିମ୍ ପ୍ରଦାନ କରିଥିଲେ । ମମିତ। ପୁଝାରୀ, ସାବିତ୍ରୀ ସାହୁ, ନିଲେନ୍ଦ୍ରୀ ସାହୁ, ପୂର୍ଣ୍ଣିମା ବଗର୍ତ୍ତୀ ଓ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କର୍ମଶାଳାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ଗୋଷ୍ଠୀ ସହାୟିକା, ଚାଷୀ ଓ ମିଳିତ ଉତ୍ତରଦାୟୀ ଗୋଷ୍ଠୀରୁ ୬୫ ଜଣ ସଦସ୍ୟା, ସଦସ୍ୟ ଅଂଶଗ୍ରହଣ କରିଥିଲେ ।
Prev Post