
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସ୍ଥିତ ଜିଲ୍ଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଏବଂ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିରାମଲ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ବାଳିକା ଶିକ୍ଷା ଏବଂ ଏହା ଉପରେ ଆଧାରିତ ସ୍ଥାନୀୟ ଗଣମାଧ୍ୟମର ସ୍ୱର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଂଗଠନ ବଲାଙ୍ଗିର ଜିଲ୍ଲାରେ ଅଦ୍ୟାବଧି ୪୦ ଗୋଟି ଗ୍ରାମ ପଞ୍ଚାୟତ ଏବଂ ୧୫୦ ଗୋଟି ଅଙ୍ଗନୱାଡ଼ି ପରିସରରେ ବାଳିକା ଶିକ୍ଷା ଏବଂ ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ପୁନର୍ବାର ଶିକ୍ଷାରେ ମନୋନିବେଶ କରାଇବାରେ କାର୍ଯ୍ୟରତ । ପିରାମଲ ଫାଉଣ୍ଡେସନ ୨୦୨୧ ମସିହାରୁ ବଲାଙ୍ଗିର ଜିଲ୍ଲାର ଆକାଂକ୍ଷୀ ଓ ଅନ୍ୟାନ୍ୟ ବ୍ଲକରେ ଶିକ୍ଷା ଓ ସ୍ଵାସ୍ଥ୍ୟ ଉପରେ କାର୍ଯ୍ୟକ୍ରମ କରି ଆସୁଛି । ଏହାଛଡା ନାରୀ ଶିକ୍ଷାର ପ୍ରଚାର ପ୍ରସାର ନିମନ୍ତେ ପ୍ରି-ମେଟ୍ରିକ ବୃତ୍ତି କିପରି ବହୁଳ ଭାବରେ ଉପାଦେୟ ହୋଇପାରିବ ତାହାରି ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ବାଳିକା ଆଶ୍ରମ ବିଦ୍ୟାଳୟର ଉପକୃତ ଛାତ୍ରୀମାନେ ପାଇଥିବା ଛାତ୍ର ବୃତ୍ତି ଉପରେ ନିଜର ମତାମତ ରଖିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ନିମନ୍ତେ ଗଣମାଧ୍ୟମର ଏକ ବଳିଷ୍ଠ ଭୂମିକା ରହିଥାଏ ଏବଂ କିପରି ଜନ ସଚେତନତା ସୃଷ୍ଟି ହୋଇପାରିଲେ ନାରୀ ଶିକ୍ଷାର ପ୍ରଚାର ପ୍ରସାର ସହ ଦେଶର ଅଭିବୃଦ୍ଧି ହୋଇପାରିବ ସେ ଉପରେ ଆଲୋଚନା ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅଲେଖ ବିଶ୍ଵାଳ, ଜିଲ୍ଲା ଯୋଜନା ଓ ସମନ୍ୱୟ ଉପ ଅଧିକାରୀ ସଞ୍ଜୟ ଦୀପ, ଛାତ୍ରବୃତ୍ତି କୋଡ଼ିନେଟର ଖଗେଶ୍ୱର ମହାକୁଡ ଓ ବରିଷ୍ଠ ସାମ୍ବାଦିକ ସୁଧୀର ମିଶ୍ର ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ । ପିରାମଲ ଫାଉଣ୍ଡେସନ ତରଫରୁ ସିନିୟର ପ୍ରୋଗ୍ରାମ ମେନେଜର ବି. ଏନ୍ ଦୁର୍ଗା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥି ସହ ଜୟ ଡାନିଏଲ ଅଞ୍ଜଳୀ ସାଇନି, ଦେବୀ ପ୍ରସାଦ ପରିଡା, ଅଭୟ କୁମାର ବେହେରା, ଅନନ୍ୟା ଚକ୍ରବର୍ତ୍ତୀ ଓ ଗାନ୍ଧି ଫିଲୋସପର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ନିଜ ନିଜ ମତାମତ ରଖିଥିଲେ । ଶେଷରେ ନେହା କୁମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।