jayashree

ପୋଲିସ ଅଧିକାରୀଙ୍କ ପାଇଁ ଶିଶୁ ସୁରକ୍ଷା ଆଇନ ଉପରେ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଟିଟିଲାଗଡ଼ ପୋଲିସ ଉପଖଣ୍ଡ ସ୍ତରୀୟ ଶିଶୁ ସୁରକ୍ଷା ଏବଂ ସେମାନଙ୍କ ଅଧିକାର ନିମନ୍ତେ ଥିବା ବିଧି ବ୍ୟବସ୍ଥା ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାଟିକୁ ଟିଟିଲାଗଡ଼ ସବ୍‌କଲେକ୍ଟର ଉଦ୍‌ଘାଟନ କରି ଶିଶୁମାନଙ୍କ ନିମନ୍ତେ ଥିବା କିଶୋର ନ୍ୟାୟ ଆଇନ, ପୋସ୍କୋ ନିୟମ ଏବଂ ରୁଲ, ବାଲ୍ୟ ବିବାହ ଆଇନ ଉପରେ ଆଲୋକପାତ କରି ଅଂଚଳରେ ଥିବା ଶିଶୁମାନଙ୍କର ଗୁରୁତର ସ୍ୱାର୍ଥକୁ ଆଖି ଆଗରେ ରଖି ବିଭିନ୍ନ ନିୟମର ବିଧି ଅନୁଯାୟୀ ଥିବା ସମୟ ସୀମା ମଧ୍ୟରେ କିପରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ଏଥି ପ୍ରତି ସଜାଗ ରହିବା ପାଇଁ ଅନୁରୋଧ କରିଥିଲେ । ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସାହାଯ୍ୟ ଗୁଡିକୁ ଶିଶୁମାନଙ୍କ ନିକଟରେ କିପରି ତୁରନ୍ତ ବ୍ୟବସ୍ଥା କରାଯାଇ ପାରିବ ସେଥିପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଆଇଆଇସି ଅବନୀ ସାହୁ ଯୋଗ ଦେଇ ଶିଶୁ ଅଧିକାର ଓ ଥିବା ବିଧି ବ୍ୟବସ୍ଥାକୁ ପୋଲିସମାନେ ଆହୁରି କିପରି ଦକ୍ଷତାର ସହିତ ପରିଚାଳନା କରିପାରିବେ, ଏହା ଉପରେ ପରାମର୍ଶ ଦେଇଥିଲେ । ଦୈନନ୍ଦିନ କର୍ମ କ୍ଷେତ୍ରରେ ଉପୁଜୁ ଥିବା ସମସ୍ୟା ଗୁଡିକର କିପରି ସହଜରେ ସମାଧାନ କରାଯାଇପାରିବ ଏହି କର୍ମଶାଳାରୁ ଶିକ୍ଷା ଲାଭ ମିଳିପାରିବ ବୋଲି କରିଥିଲେ । ଏହି କର୍ମଶାଳାଟିକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଲିଗାଲ କମ୍‌ ପ୍ରୋବେସନ ଅଫିସର ଦିଗମ୍ବର କର ପରିଚାଳନା କରିଥିଲେ । ଜିଲ୍ଲାରେ ଥିବା ଶିଶୁମାନଙ୍କର ବିଭିନ୍ନ ସମସ୍ୟା ଏବଂ ଏଥି ନିମିତ୍ତ ଥିବା ବିଭିନ୍ନ ନିୟମ ଯେପରିକି କିଶୋର ନ୍ୟାୟ ଆଇନ ୨୦୧୫, ପୋକ୍ସୋ ଆଇନ ୨୦୧୨, ବାଲ୍ୟ ବିବାହ ୨୦୦୬, ପିସିପିଏନ୍‌ଡିଟି ଆଇନ ୧୯୯୪, ଶିଶୁ ଶ୍ରମିକ ଆଇନ ୧୯୮୬ ଉପରେ ଗୁରୁତ୍ୱ ଆରୋପ କରି ପୋଲିସମାନଙ୍କ ମାଧ୍ୟମରେ କିଭଳି ଆଶୁ ସମଧାନ କରାଯାଇପାରିବ ଏବଂ ତଦନ୍ତ ପ୍ରକ୍ରିୟା ଗୁଡ଼ିକ କିପରି ସୁଗମ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଉକ୍ତ କର୍ମଶାଳାରେ ପୂର୍ବତନ ଶିଶୁ ମଙ୍ଗଳ ସମିତିର ସଭ୍ୟ ନନ୍ଦି କିଶୋର ଷାଣ୍ଢ ତାଲିମଦାତା ଭାବେ ଯୋଗଦାନ କରି ଆଇନଗତ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ସାମାଜିକ କର୍ମୀ ଅରୁଣ ଖୁଆସ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.