ଆମ ହସ୍ପିଟାଲ ଯୋଜନାରେ ରଙ୍ଗ ବୋଳି ଟଙ୍କା ହଡପ : ନିମ୍ନମାନର କାମ ଯୋଗୁଁ ରୋଗୀ ଏବଂ କର୍ମଚାରୀ ହନ୍ତସନ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ‘ଆମ ହସ୍ପିଟାଲ ଯୋଜନାରେ ଚାଲିଥିବା କାର୍ଯ୍ୟରେ ବାହାର ପଟରୁ ସରକାରୀ ରଙ୍ଗ ବୋଳି ଦେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ଆସୁଛି । ମିଳିଥିବା ସୂଚନା ଅନୁଯାୟୀ ୧୯୬୧ ମସିହାରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା । ଜିଲ୍ଲା ମୁଖ୍ୟାଳୟଠାରୁ ଏହା ୮୦ କି.ମି. ଦୂର ହୋଇଥିବା ବେଳେ ୨୧ଟି ପଞ୍ଚାୟତର ୨୧୨ଟି ଗ୍ରାମର ଦେଢ଼ ଲକ୍ଷରୁ ଅଧିକ ଜନସାଧାରଣ ଏହା ଉପରେ ନିର୍ଭରଶୀଳ । ପାହାଡ଼ ଜଙ୍ଗଲ ପାଦଦେଶରେ ଥିବା ଗ୍ରାମଗୁଡ଼ିକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଚିହ୍ନିତ । ସେଥିପାଇଁ ରାଜ୍ୟ ସରକାର ‘ଆମ ହସ୍ପିଟାଲ’ ଯୋଜନାରେ ଖପ୍ରାଖୋଲ ହସ୍ପିଟାଲର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦରେ ନୂତନ ବିଲଡିଂ ସହ ଡାକ୍ତରଖାନାର ପାରିପାର୍ଶ୍ଵିକ ବଦଳାଇଲେ । କିନ୍ତୁ ବାହାର ପଟେ ସରକାରୀ ରଙ୍ଗ ବୋଳି ଦେଇ ଠିକାଦାର ମାନେ ଏବଂ ବିଭାଗୀୟ ଅଧିକାରୀ ମାନେ ମାଲେମାଲ୍‌ ହୋଇଥିବା ଚର୍ଚ୍ଚା ହେଉଛି । ଗୋଟିଏ ବର୍ଷରେ ଖପ୍ରାଖୋଲ ଡାକ୍ତରଖାନାର ବିକାଶ ପାଇଁ ୩ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଡାକ୍ତରଖାନା ପରିସ୍ଥିତି ବେହାଲ । ନୂତନ ଭାବେ ତିଆରି ହୋଇଥିବା ବିଲଡିଂ କାନ୍ଥରୁ ପାଣି ଝରୁଛି, ପ୍ରସୂତି କକ୍ଷରେ ଏତେ ପାଣି ଝରୁଛି ଯେ, ଭିତରେ ଠିଆ ହେବା ମୁସ୍କିଲ ହେଉଛି ବୋଲି ପ୍ରସୂତି ମହିଳା କହିଛନ୍ତି । ଏଥିସହ ଅନ୍ତରୋଗୀ ବିଭାଗ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ରଡ଼ ପଦାକୁ ଦେଖାଯିବା ସହ କିଛି ସ୍ଥାନ ଦବିଯାଇ ବିପଦସଙ୍କୁଳ ଅବସ୍ଥାରେ ରହିଛି । ବର୍ଷା ହେଲେ ଡାକ୍ତରଖାନା ପରିସରରେ ପାଣି ଜମି ଅବସ୍ଥା ଶୋଚନୀୟ ହୋଇପଡୁଛି । ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ହେଲେ ଇତି ମଧ୍ୟରେ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଡାକ୍ତରଖାନା ଗୃହ ମରାମତି କାମ ଭଲ ଭାବେ ହୋଇ ପାରୁନାହିଁ । ନୂତନ ଭାବେ ତିଆରି ହୋଇଥିବା ବିଲଡିଂରେ ବ୍ୟବହୃତ ହୋଇଥିବା ଇଲେକ୍ଟ୍ରି ଉପକରଣ ଏତେ ନିମ୍ନମାନର ଯେ, ସବୁ ବେଳେ କିଛି ନା କିଛି ଜଳି ଯାଉଥିବା ଡାକ୍ତରଖାନା କର୍ମଚାରୀ କହୁଛନ୍ତି । ଖପ୍ରାଖୋଲ ବିଭାଗୀୟ ଅଧିକାରୀ, ପୂର୍ତ୍ତବିଭାଗ (ପିଡବ୍ଲୁଡି) ଏବଂ ୪ରୁ ୫ ଜଣ ଠିକାଦାର ଏହି କାମ ସବୁ କରୁଥିବା ବେଳେ ଏତେ ନିମ୍ନମାନର କାମ କେମିତି ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏନେଇ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କୁ ଫୋନରେ ଯୋଗାଯୋଗ କରିବାରୁ ସେ କହିଥିଲେ ଟେଣ୍ଡର କାମ ହୋଇଛି, ଇଲେକ୍ଟ୍ରିକାଲ୍‌ କାମ ପୂର୍ତ୍ତ ବିଭାଗ କରିଛି ଆମେ ସେ ସବୁ ଏତେ ଶୀଘ୍ର କରିପାରିବୁ ନାହିଁ ବୋଲି କହିଥିଲେ । ଏଥିରୁ ଅନୁମାନ କରନ୍ତୁ ସରକାରୀ ଟଙ୍କାର କିପରି ଅପବ୍ୟବହାର ହେଉଛି । ଯଦି ଏତେ ଜଣ ଠିକାଦାର ଗୋଟିଏ କାମକୁ କରିବେ ତାହେଲେ କାମ ଉଚ୍ଚକୋଟିର ହେବା କଥା କିନ୍ତୁ ଏଠି ଓଲଟା ହୋଇଛି । ଡାକ୍ତରଖାନାର ସମସ୍ତ ଗୃହମାନଙ୍କୁ ରଙ୍ଗ ବୋଳି ଦେଇ ସମସ୍ତେ ଦୋଷ ଲଦାଲଦି ହେଉଥିବା ଦେଖିବାକୁ ମିଳୁଛି । ଯଦି ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସେ ତେବେ କୌଣସି କାରଣ ବଶତଃ ଘର ଭୁଶୁଡି ପଡେ କିମ୍ବା ନିମ୍ନମାନର ଇଲେକ୍ଟ୍ରି କାମ ଯୋଗୁଁ ନିଆଁ ଲାଗିଯାଏ ତେବେ ରୋଗୀ ବଞ୍ଚିବ ନା ମରିବ ତାହା ସନ୍ଦେହ ଲାଗୁଛି । ଏ ଦିଗରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦୃଷ୍ଟି ଦେଇ ତଦନ୍ତ କଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.