ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଶିକ୍ଷା କ୍ଷେତ୍ରରେ ଶିକ୍ଷାର ବିକାଶ ସାଙ୍ଗକୁ ଭିତ୍ତିଭୂମୀର ଉନ୍ନତି କରିବା ପାଇଁ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିମ୍ନ ମାନର ନିର୍ମାଣ କାମ ଯୋଗୁଁ ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗୋଟିଏ ବର୍ଷ ନପୁରୁଣୁ ଛାତ ଭୁଷୁଡି ପଡ଼ିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ପାଟଣାଗଡ ବ୍ଳକ ମରୁଆ ପଞ୍ଚାୟତ ପାଢେଲ ଗ୍ରାମର ଅଞ୍ଚଳ ହାଇସ୍କୁଲର ଅତିରିକ୍ତ ଶ୍ରେଣୀ କୋଠରୀ ଭୁଷୁଡି ପଡିଛି । ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଫଳକରେ ରହିଛି । କିନ୍ତୁ କେତେ ମସିହାରେ ଟଙ୍କା ମଞ୍ଜୁର ହୋଇଥିଲା ସୂଚନା ଫଳକରେ ଲେଖା ଯାଇନାହିଁ ଯାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ତେବେ ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ କାର୍ଯ୍ୟ ପାଇଁ ଦାୟିତ୍ୱ ନେଇଥିବା ଯନ୍ତ୍ରୀ ତଦାରଖ କରିବା ବଦଳରେ ଠିକାଦାରଙ୍କ ସହ ସଲାସୁତରା ହେତୁ ଏପରି ଘଟିଛି ବୋଲି ଅଭିଯୋଗ ହୋଇଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି ।