ମୁରିବାହାଲ ବ୍ଲକସ୍ତରୀୟ ‘ବନ୍ଦେ ମାତରଂ’ ଗୀତର ୧୫୦ତମ ବାର୍ଷିକୀରେ ସାମୁହିକ ଗାନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ’ ବନ୍ଦେ ମାତରଂ’ ରାଷ୍ଟ୍ର ଗୀତର ୧୫୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମୁହିକ ଗାନ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକ ବିଡ଼ିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ୱରେ ତଥା ଓଏଲଏମ ବିପିଏମ ଡ. ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି, ବିଇଓ ଶାନ୍ତନୁ କୁମାର ପଢ଼ିହାରୀ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଜିପିଡିଓ ପ୍ରସନ୍ନ କୁମାର ନାଗ, ଲଖନା ସମିତି ସଭ୍ୟ ଭୀମସେନ ବାଗ, ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ଓ ବିଏସଏସଓ ରିଙ୍କୁ ମେହେର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ରାଷ୍ଟ୍ରଗୀତ ‘ବନ୍ଦେ ମାତରଂ’ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପୂର୍ବରୁ ପ୍ରଥମରୁ ଯୁକ୍ତ ତିନି ଶ୍ରେଣୀ ପର୍ଯ୍ୟନ୍ତ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଓଏଭି ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଓଏଲଏମ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଯୋଜନା ସହାୟକ ରାଜ ସିଂ ବାବୁଙ୍କ ସହ ସମସ୍ତ ବ୍ଲକ କର୍ମଚାରୀ ସହଯୋଗ କରିଥିବା ବେଳେ ବିପିଏମ୍ ଶ୍ରୀ ଦୀପ ଧନ୍ୟବାଦ୍ ଦେଇଥିଲେ ।