ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ ଭାବନା ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବାଲୁଙ୍କେଶ୍ୱର ଷଡଙ୍ଗୀ ତମାଖୁ ସେବନର କୁପରିଣାମ ଓ ଅହାର ନିରାକରଣ ଉପରେ ବିଶଦ୍ ଭାବେ ବୁଝାଇଥିଲେ । ସ୍ୱାସ୍ଥ୍ୟ ଉପରେ ତମାଖୁର କୁ-ପ୍ରଭାବ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି । ତମାଖୁ ସେବନ ଦ୍ୱାରା ସାରା ବିଶ୍ୱରେ ପ୍ରତି ବର୍ଷ ୮୦ ଲକ୍ଷରୁ ଅଧିକ ବ୍ୟକ୍ତି ମୃତ୍ୟୁ ବରଣ କରିଥାଆନ୍ତି । ତମାଖୁ ବ୍ୟବହାର କରୁଥିବା ବ୍ୟକ୍ତି କରୋନାରେ ସଂକ୍ରମିତ ହେଲେ ଅଧିକ ଗୁରୁତର ହେବାର ଆଶଙ୍କା ଥାଏ । ଅଣ ସଂକ୍ରାମକ ରୋଗ ଜନିତ ମୃତ୍ୟୁ ପୃଥିବୀର ବାର୍ଷିକ ସମସ୍ତ ମୃତ୍ୟୁର ପ୍ରାୟ ଶତକଡା ୬୩ ଭାଗ ବୋଲି ଆକଳନ କରାଯାଇଛି । ତମାଖୁ ସେବନ ଏହି ସବୁ ଅଣ ସଂକ୍ରାମକ ରୋଗର ପ୍ରମୁଖ କାରଣ ବୋଲି ଜଣାପଡିଛି । ତମାଖୁ ସେବନ ଦ୍ୱାରା ଭାରତ ବର୍ଷରେ ପ୍ରତି ବର୍ଷ କର୍କଟ, ହୃଦ୍ ରୋଗ, ଶ୍ୱାସ ଜନିତ ରେଗ, ମଧୁମେହ, ମସ୍ତିଷ୍କାଘାତ ଆଦି ରୋଗରେ ପ୍ରାୟ ୨୮ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥାଆନ୍ତି । ଏଣୁ ୧୦ ଅକ୍ଟୋବରରୁ ୯ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ଚାଲୁ କରାଯାଇଛି । ସମସ୍ତ ପ୍ରକାର ତମାଖୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତମାଖୁର କ୍ଷତିକାରକ ଉପାଦାନ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ତମାଖୁ ସେବନର କୁପରିଣାମ ବିଷୟରେ ସଚେତନ କରିବା ସହ ଏହାର ପ୍ରଚାର ପ୍ରସାରକୁ ବ୍ୟାପକ କରି ତମାଖୁ ମୁକ୍ତ ଗ୍ରାମ ଗଠନ ପାଇଁ ସମସ୍ତେ ଲାଗିପଡିବା ଉଚିତ ବୋଲି ଜିଲ୍ଲାପାଳ ଶ୍ରୀ କୀର୍ତ୍ତିଭାସନ୍ କହିଥିଲେ । ଶିକ୍ଷାନୁଷ୍ଠାନ ଗୁଡିକର ପାଚେରୀରୁ ୧୦୦ ଗଜ ପର୍ଯ୍ୟନ୍ତ ତମାଖୁ ମୁକ୍ତ କରାଯିବ । ତମାଖୁ ସେବନର କୁପରିଣାମ ଉପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ଜନ ସଚେତନତାକୁ ବ୍ୟାପକ କରାଯିବ । ଜନ ଗହଳିପୂର୍ଣ୍ଣ ସ୍ଥାନରେ ଧୂମପାନ କଲେ ୨୦୦ ଟଙ୍କା ପର୍ଯ୍ୟନ୍ତ ଦଣ୍ଡ ବିଧାନ ରହିଛି । ଏହି ଆର୍ଥିକ ଦଣ୍ଡକୁ ଦୁଇ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ତମାଖୁ ମୁକ୍ତ ଗ୍ରାମ ତଥା ଗଞ୍ଜାମ ଜିଲ୍ଲାକୁ ତମାଖୁ ମୁକ୍ତ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସି.ଡି.ଏମ୍ ଆଣ୍ଡ ପି.ଏଚ୍.ଓ. ଡାକ୍ତର ସୁଶାନ୍ତ କୁମାର ନାୟକ, ଡିପିଏମ୍ ବୁଲୁନାଥ ସାହୁ, ଆରକ୍ଷୀ ବିଭାଗୀୟ ଅଧିକାରୀ, ଅବକାରୀ ବିଭାଗୀୟ ଅଧିକାରୀ, ଖାଦ୍ୟ ନିରାପତ୍ତା ଅଧିକାରୀ, ଡ୍ରଗ୍ ଇନିସ୍ପେକ୍ଟର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ପରିଚାଳିକା, ଏନ୍.ସି.ଡି. ମିସ୍ ବାଣୀ ବନ୍ଦନା ଜେନା ପରିଚାଳନା କରିଥିଲେ ।
 
			