ବଲାଙ୍ଗିର ସହରର ପ୍ରଥମ ଓପନ୍‌ ମାଇକ୍‌ ସୋ’ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାଗରପଡାରେ ଥିବା ‘ଟି ବକ୍ସ କେଫେ’ରେ ବଲାଙ୍ଗିର ସହରର ପ୍ରଥମ ଓପନ୍‌ ମାଇକ୍‌ ସୋ କାର୍ଯ୍ୟକ୍ରମ ଆୟୁଷ କୁମାର ସାହୁଙ୍କ ଦ୍ୱାରା ସଂଘଟିତ କରାଯାଇଛି । ଯୁବ ଅନୁଷ୍ଠାନ ସାମ୍‌-ଏ-ମେହେଫିଲ ଓ ପରିବାର -ଏ-ଅଲଫାଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରଙ୍ଗାରଙ୍ଗ ସମାରୋହରେ ମୁଖ୍ୟ ଅତିଥି ଭାବରେ କବି ରସରାଜ ଅଚ୍ୟୁତ ପୁରୋହିତ ପ୍ରଦୀପ ଜାଳି ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ କବି ସୁଶାନ୍ତ ବାଗ କାର୍ଯ୍ୟକ୍ରମର ଆଭିମୁଖ୍ୟ ବାବଦରେ କହିବା ସହିତ ସଭା ପରିଚାଳନା କରିଥିଲେ । ଏହି ଅବସରରେ ସାମ୍‌-ଏ-ମେହେଫିଲର ଲୋଗୋ ଉନ୍ମୋଚିତ ହୋଇଥିଲା । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଭାବଗ୍ରାହୀ କବି ରମା ବଲ୍ଲଭ ସାହୁ ଯୋଗ ଦେଇଥିଲେ । ପାଖାପାଖି ୭୦ରୁ ଅଧିକ ବିଦଗ୍ଧ ଶ୍ରୋତାଙ୍କ ଉପସ୍ଥିତିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ କୋଡିଏ ଜଣ ଯୁବକ ଯୁବତୀ ବିଶେଷତଃ ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ । ଶେଷରେ ଉତ୍ସବରେ ସୁଦୂର ଭୁବନେଶ୍ୱରରୁ ଆସିଥିବା ପରିବାର-ଏ-ଆଲଫାଜର ମୁଖ୍ୟ ଉଦ୍ୟୋକ୍ତା ଅବିନାଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ ଯେ ବଲାଙ୍ଗିରର ସ୍ଥାନୀୟ କଳାକାରମାନଙ୍କୁ ଷ୍ଟେଜ ଦେଇ ତାଙ୍କ କଳାକୁ ଲୋକମାନଙ୍କ ସମ୍ମୁଖରେ ପହଞ୍ଚାଇବା ପାଇଁ ଓପନ୍‌ ମାଇକ୍‌ ସୋ’ ସାମ୍‌-ଏ-ମେହେଫିଲର ମୁଖ୍ୟ ଉଦ୍ୟୋକ୍ତା ଆୟୁଷ କୁମାର ସାହୁ ଆୟୋଜନ କରିଥିଲେ ଓ ଆଗକୁ ପ୍ରତି ମାସ ଏଇ ଓପନ୍‌ ମାଇକ୍‌ ସୋ’ ଆୟୋଜନ କରାଯିବ ବୋଲି ସେ କହିଛନ୍ତି । ଏଇ ଓପନ୍‌ ମାଇକ୍‌ ସୋ’ରେ ସର୍ବଶ୍ରୀ ଅଦ୍ୱିତ ପ୍ରସାଦ, ଜନ୍ମେଜୟ ବାଗ ଓ ଶୁଭଙ୍କର ଦାସ ସହଯୋଗ କରିଥିଲେ ।

Leave A Reply

Your email address will not be published.