ଜାରିଂରେ ଜନ ସଚେତନତା କାର୍ଯ୍ୟକ୍ରମ

  • ପ୍ରାଣୀଧନ ପ୍ରତି ନିଷ୍ଠୁରତା ଆଚରଣ ଅମାନବୀୟ

ବରଗଡ, (ନିରୋଜ କୁମାର ପାଣୀ) : ପ୍ରାଣୀଧନ ପ୍ରତି ନିଷ୍ଠୁରତା ଆଚରଣ ଅମାନବୀୟ । କାହିଁକି ନା ସେମାନଙ୍କର ମଧ୍ୟ ମଣିଷ ପରି ଜୀବନ ଅଛି । ସୁଖ ସୁବିଧାରେ ବଞ୍ଚିବାର ଅଧିକାର ରହିଛି । ତାଙ୍କର ଏହି ଅଧିକାର କ୍ଷୁର୍ଣ୍ଣ କରିବା ଆଇନ ଅନୁଯାୟୀ ଅପରାଧ । ସୁତରାଂ ପ୍ରାଣୀ ସଂପଦ ସୁରକ୍ଷା ପ୍ରତି ଯତ୍ନବାନ୍ ହେବା ଆମର ନୈତିକ କର୍ତ୍ତବ୍ୟ । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ କୃଷି ପ୍ରଧାନ ଗ୍ରାମ ଜାରିଂରେ ବ୍ଲକ ପ୍ରାଣୀଧନ ବିଭାଗ ପକ୍ଷରୁ ଆୟୋଜିତ ପ୍ରାଣୀଧନ ସଚେତନତା ସମାରୋହରେ ଏହି ମତ ପ୍ରକାଶ ପାଇଛି । ସ୍ଥାନୀୟ ସରପଂଚ ପ୍ରଭାସିନୀ ବିଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡା. ଗିରିଶ ଚନ୍ଦ୍ର ମାଥୁରଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ କୁମାର ଗଡତୀୟା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖରା ଦିନରେ ପ୍ରାଣୀ ସଂପଦ ପ୍ରତି ଆମର ଦାୟିତ୍ୱବୋଧ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ସଂଯୁକ୍ତା ସାହୁ, ଏମଭିୟୁ ଭିଏଏସ ଡା. ଦୀପାଳି ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । କଣ୍ଠଶିଳ୍ପୀ ଘନଶ୍ୟାମ ମେହେର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସମାରୋହକୁ ସଂଯୋଜନା କରିଥିଲେ ପ୍ରାଣୀଧନ ନିରୀକ୍ଷକ ଦିଲ୍ଲୀପ କୁମାର ଦେବତା । ପରେ ବିଜେପୁର ଆଲତି ସାଂସ୍କୃତିକ ସଂସଦର କଳାକାରଗଣ ସମ୍ବଲପୁରୀ ପଥପ୍ରାନ୍ତ ନାଟକ ଲାଗ୍ ପରିବେଷଣ କରିଥିଲେ । ଜଣେ ଜଣକର ଉପକାର କରିବା ହେଉଛି ପ୍ରକୃତିର ନିୟମ । ଏହି ନିୟମରେ ଆମେ ସଭିଏଁ ବନ୍ଧା । ହେଲେ ଅନ୍ୟ ନିକଟରୁ ମିଳିଥିବା ଉପକାର ତୁଳନାରେ ଆମର ପ୍ରତି ଉପକାର ମଧ୍ୟ ବରାବର ହେବା ନିତାନ୍ତ ଆବଶ୍ୟକ । ଏହାର ବ୍ୟତିକ୍ରମ ହେଲେ ଆମେ ଉପକାରୀ ନିକଟରେ ଋଣୀ ହୋଇ ରହିଯିବା । ଏହିକ୍ରମରେ ଗୋସଂପଦ ନିକଟରେ ଆମେ କିପରି ଋଣୀ ଏହା ହିଁ ଥିଲା ନାଟକର ସାରାଂଶ । ଏହାକୁ ନାଟ୍ୟକାର ମୋହନସିଂ କହ୍ନେଇ ରଚନା କରିଥିବା ବେଳେ ରାଜେଶ୍ୱର ବେହେରା ନିର୍ଦ୍ଦେଶନା ଦେଇଥିଲେ । ଜିତେନ୍ଦ୍ରିୟ ମେହେର, ତରଣୀସେନ ସାହୁ, ନୀଳମଣି ମେହେର, ନରେଶ ତରିଆ, ରାଜେଶ୍ୱର ବେହେରା, କନକ ଡନସନା, ଦିଲ୍ଲୀପ କୁମାର ଦେବତା ପ୍ରମୁଖ ଅଭିନୟ କରିଥିଲେ । ସୁଷମା ଭୋଇ, ଭୀମସେନ ମେହେର, ଭରତ ସାହୁ ପ୍ରମୁଖ ସଂଗୀତ ପରିଚାଳନାରେ ସହଯୋଗ କରିଥିଲେ । ଜାରିଂ ପ୍ରାଣୀଧନ ନିରୀକ୍ଷକ ତୃପ୍ତୀ ମେହେର, ସଂଜୀବ ସାହୁ, ବୀରେନ୍ଦ୍ର ସାହୁ, ଗଙ୍ଗାଧର ଦୀପ, ବଳରାମ ପୁରି, ତୁଳସୀରାମ ମେହେର, ଦୁର୍ବାଦଳ ବଡଗୋଛିଆ, ବାଲାଜୀ ରାଓମୋରେ, ଭାଗବତ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.