ଅଙ୍ଗନୱାଡି କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଆଖଡ଼ାବନ୍ଧ ଅଙ୍ଗନୱାଡି କେନ୍ଦ୍ରରେ ଗଞ୍ଜାମ ବ୍ଲକ ତରଫରୁ ବାଲ୍ୟ ବିବାହ ନିରାକରଣ ନେଇ ବ୍ଲକସ୍ତରୀୟ ସଚେତନତା ଗତ ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅକ୍ଷୟ ତୃତୀୟା ଉପଲକ୍ଷେ ଏକ ସପ୍ତାହବ୍ୟାପି କାର୍ଯ୍ୟକ୍ରମ ଜାରି ରହିଛି । ବିଡ଼ିଓ ଜସ୍ମିନ ପ୍ରଧାନ ଓ ସିଡିପିଓ ସଲୀଳା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ଲକର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ସଚେତନତା ସଭା ଏବଂ ବିଭିନ୍ନ ଗ୍ରାମରେ ଶୋଭାଯାତ୍ରା କରାଯାଇ ପ୍ଲାକାର୍ଡ ଓ ବାଲ୍ୟ ବିବାହ ସମ୍ପର୍କିତ ବିଭିନ୍ନ ନାରା ଦିଆଯାଇ ସଚେତନତା ସୃଷ୍ଟି କରାଯାଉଛି । ଗଞ୍ଜାମ ବ୍ଲକରେ ଏକ ସଚେତନତା ସଭାରେ ଏହାର ଶୁଭାରମ୍ଭ କରାଯାଇଥିବା ବେଳେ ହୁମ୍ମା ଅଙ୍ଗନୱାଡି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମରେ ସିଡିପିଓ ଶ୍ରୀମତୀ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ପରେ ରାଲି ଓ ଶପଥ ମଧ୍ୟରେ ଜନ ସଚେତନତା ସୃଷ୍ଟି କରାଯାଇଛି । ମହିଳା ଓ କିଶୋର କିଶୋରୀମାନଙ୍କୁ ନେଇ ଏହି ପ୍ରଥାର କୁପ୍ରଭାବ ସମ୍ପର୍କରେ ସ୍ଥାନୀୟ କର୍ମୀମାନେ ସଚେତନତା ସୃଷ୍ଟି କରିଛନ୍ତି ।

ସେହିପରି ପ୍ରତ୍ୟେକ ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀମାନେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ଓ ଗ୍ରାମାଞ୍ଚଳମାନଙ୍କରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଜନ ପ୍ରତିନିଧି, କୁଳ ମୁଖିଆ, ଗ୍ରାମ୍ୟ ଭଦ୍ରବ୍ୟକ୍ତି, କିଶୋର କିଶୋରୀମାନଙ୍କୁ ନେଇ ଶପଥ ପାଠ କରାଇବା ସହ ବାଲ୍ୟ ବିବାହର ଅପକାରିତା ସମ୍ପର୍କରେ ସୂଚିତ କରାଯାଇ ଏହି କୁପ୍ରଥାରେ ରୋକ୍‌ ଲଗାଇବା ନେଇ ପ୍ରୟାସ କରାଯାଉଥିବା ଲକ୍ଷ୍ୟ କରାଯାଉଛି । ବାଲ୍ୟ ବିବାହ କରିବା ଓ କରାଇବା ଏକ ଦଣ୍ଡନୀୟ ଅପରାଧ । ବାଲ୍ୟ ବିବାହ କରୁଥିବା ଓ କରାଉଥିବା ବ୍ୟକ୍ତିମାନଙ୍କୁ ଆଇନ ଅନୁଯାଇ ରହିଥିବା ଦଣ୍ଡ ବିଧାନ, କାରାବରଣ ଓ ଅର୍ଥଦଣ୍ଡ ସମ୍ବନ୍ଧ ଏବଂ ଏହାର କୁପରିଣତି ସମ୍ପର୍କରେ ଅଞ୍ଚଳବାସୀଙ୍କୁ ଅବଗତ କରାଯାଉଥିବା ଦେଖିବାକୁ ମିଳିଛି । ସେହିପରି ସିଡିପିଓ କାର୍ଯ୍ୟାଳୟ ତରଫରୁ ନିର୍ଭୟା କଢି, ଅଦ୍ଵିକା କାର୍ଯ୍ୟକ୍ରମ ଜରିଆରେ ବ୍ଲକରେ ବାଲ୍ୟ ବିବାହ ରୋକିବା ନେଇ ଅହରହ ପ୍ରୟାସ ଜାରି ରହିଥିବା ପରିଲକ୍ଷିତ ହେଉଛି ।

ଏହି ପ୍ରଥା ବ୍ଲକରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ନେଇ ସିଡିପିଓ ସଲୀଳା ପ୍ରଧାନ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.