ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ବନ ବିଭାଗ ପକ୍ଷରୁ ବ୍ରାହ୍ମଣୀ ନଦୀ କୂଳରେ ଥିବା ନର୍ସରୀଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଆଜି ବନଖଣ୍ଡସ୍ତରୀୟ ଜିଆ ଖତ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଣାଇ ବନଖଣ୍ଡର ସୋଲ, ଜର୍ଡା, ତାମଡା, କୋଳିପୋଷ, ବଣାଇ ଇତ୍ୟାଦି ରେଞ୍ଜରୁ ଆସିଥିବା ୫ଟି ସ୍ୱୟଂ ସହାୟକ ଗୋଷ୍ଠୀର ୨୫ ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ବଣାଇ ବନଖଣ୍ଡର ସହକାରୀ ବନ ସଂରକ୍ଷକ ସମୀର ପ୍ରକାଶ ତିର୍କି ଉପସ୍ଥିତ ରହି ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଶିକ୍ଷଣ ଦେଇଥିଲେ । ପୂର୍ବରୁ ଲୋକେ ପାରମ୍ପରିକ ପଦ୍ଧତିରେ ଚାଷ କାମ କରିବା ସହିତ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଏବେ ସମୟ ବଦଳି ଯାଇଛି । ବନ ବିଭାଗର ପରାମର୍ଶ କ୍ରମେ ମହିଳାମାନେ ଘର ବାଡ଼ିରେ ଜିଆ ଖତ ପ୍ରସ୍ତୁତ କରୁଛନ୍ତି । ରୋଜଗାର ଦେଉଛି ଜିଆ ଖତ, ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମହିଳା ଗୋଷ୍ଠୀ । ନିଜେ ସ୍ୱାବଲମ୍ବୀ ହେବା ସହିତ ପରିବାର ଚଳାଉଛନ୍ତି । ଏସବୁ ଦେଖି ସରକାରୀ ସ୍ତରରେ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବନ ବିଭାଗ ହାତକୁ ନେଇଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ବଣାଇ ବନଖଣ୍ଡର ବିଭିନ୍ନ ରେଞ୍ଜରୁ, ରେଞ୍ଜ ଅଧିକାରୀ, ବନପାଳ ଓ ବନରକ୍ଷୀମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ବଣାଇ ରେଞ୍ଜ ଅଧିକାରୀ ମନୋଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Next Post