ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗ୍ରେଡ-ପେ ବୃଦ୍ଧି ଦାବୀରେ ଓଡ଼ିଶା ମିଳିତ ଅମଲା ମଞ୍ଚ ପକ୍ଷରୁ କଲମ ଛାଡ ଅବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ୯ ଦିନ ବିତିଗଲା । ଓଡ଼ିଶା ମିଳିତ ଅମଲା ମଞ୍ଚ ପକ୍ଷରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଗଞ୍ଜାମ ଜିଲ୍ଲାରେ ବିଶେଷ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ପ୍ରଚଣ୍ଡ ରୌଦ୍ରତାପକୁ ଖାତିର ନକରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ହତାକୁ ଲାଗି ଗଛ ଛାଇରେ ଅସହ୍ୟ ଗୁଳିଗୁଳି ପାଗରେ ଅମଲା ସଂଘର କର୍ମକର୍ତ୍ତାମାନେ ଭାଷଣ ବାଜିମାରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏପରିକି ସମଗ୍ର ଗଞ୍ଜାମ ଜିଲ୍ଲାରେ ସରକାରୀ କଳରେ ଏବେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ ଗୁଡିକରେ ବିଭିନ୍ନ ଭତ୍ତା, ଯୋଜନା ବାବଦକୁ ଆସୁଥିବା ଲୋକେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନ ପାଇ ଅପେକ୍ଷା କରି କରି ନିରାଶ ହୋଇ ଲୋକେ ଘରକୁ ଫେରୁଛନ୍ତି । ଜିଲ୍ଲାର ସମସ୍ତ ତହସିଲ, ବ୍ଲକ, ପୌର ଏବଂ ଏନ୍ଏସି କାର୍ଯ୍ୟାଳୟମାନଙ୍କୁ ଦୈନିକ ଶହ ଶହ ଲୋକ ଆସିଥାନ୍ତି । ସେଠାକୁ ଲୋକେ ଯାଇଥିଲେ ମଧ୍ୟ ସେମାନଙ୍କ କାମ ନ ହୋଇଥିବାରୁ ଲୋକେ ଅସନ୍ତୋଷର ସହ ନିରାଶ ହୋଇ ଘରକୁ ଫେରୁଛନ୍ତି ।
ବିଶେଷ ସୂତ୍ରରୁ ପ୍ରକାଶ ଯେ, ଆଜି ତୃତୀୟ ମହଲାରେ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅମଲା ସଂଘର ରାଜ୍ୟର କାର୍ଯ୍ୟକର୍ତ୍ତା/ ପ୍ରତିନିଧିମଣ୍ଡଳୀଙ୍କୁ ଡକାଯାଇ ଆଲୋଚନା ହୋଇଥିଲା ବୋଲି କୁହାଯାଏ । କିନ୍ତୁ ଆଲୋଚନାରେ କୌଣସି ସନ୍ଧି, ଚୁକ୍ତିନାମାରେ ମଧ୍ୟ କୌଣସି ଆଶୁ ଫଇସଲା ହୋଇପାରିଲା ନାହିଁ । ତେଣୁ ଗତ ଗୁରୁବାର ଠାରୁ ଓଡ଼ିଶାର ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ଅମଲାମାନେ ସମୂହ ଛୁଟିରେ ରହିଛନ୍ତି । କର୍ମଚାରୀଙ୍କ ଅନୁପସ୍ଥିତ ଯୋଗୁ ସରକାରୀ କାର୍ଯ୍ୟାଳୟଗୁଡିକ ଅଚଳ ହୋଇପଡିଛି । ଫଳରେ ସର୍ବସାଧାରଣଙ୍କ ସମସ୍ତ ବକେୟା କାର୍ଯ୍ୟ, ଅଭିଯୋଗ ଶୁଣାଣି ଆଦିରେ ବିରାଟ ପ୍ରତିବନ୍ଧକ ଦେଖାଦେଇଛି । ସମସ୍ତ ଜିଲ୍ଲାମହକୁମା ଓ ଜିଲ୍ଲା କାର୍ଯ୍ୟାଳୟମାନଙ୍କରେ ଜିଲ୍ଲାରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ବହୁ କର୍ମଚାରୀ ଧାରଣାକୁ ଓହ୍ଲାଇଛନ୍ତି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତହସିଲ କାର୍ଯ୍ୟାଳୟରେ ମ୍ୟୁଟେସନ, ଡିମାର୍କେଶନ, ଜମିଜମା ପଟ୍ଟା ରେଜଷ୍ଟ୍ରି ପାଇଁ ତହସିଲ କାର୍ଯ୍ୟାଳୟରେ ଦୈନିକ ଭିଡ ଜମିଥାଏ । ତେବେ ତହସିଲ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଚୌକି ଖାଲିପଡ଼ିରହିଛି ।
ଶହ ଶହ କର୍ମଚାରୀମାନେ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ରହି ସରକାରଙ୍କ ଏହା ଏକ ବୈମାତୃକ ମନୋଭାବ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ବିକ୍ଷୋଭମୂଳକ ଉଦ୍ବେଗ ପ୍ରକାଶ କରିଛନ୍ତି । । ଅନ୍ୟପଟେ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅମଲା ସଂଘ ଚେତାବନୀ ଦେଇଛନ୍ତି ।