ପର୍ଲିମାଲରେ ପଞ୍ଚାୟତସ୍ତରୀୟ କରମା ମହୋତ୍ସବ ଉଦ୍‌ଯାପିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ପର୍ଲିମାଲ ଗ୍ରାମରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ଆନୁକୂଲ୍ୟରେ ପ୍ରଥମ ବର୍ଷ ପଞ୍ଚାୟତସ୍ତରୀୟ କରମା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗତ ତା ୧୬ ଡିସେମ୍ବରରୁ ୧୭ ଡିସେମ୍ବର ଦୁଇ ଦିନ ଧରି ଅନୁଷ୍ଠିତ କରମା ମହୋତ୍ସବରେ ପ୍ରଥମ ଦିନ କରମସାନୀ ଡାଳ ବରଣ କରିବା ସହ ପୂଜା ମଣ୍ଡପରେ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ସନ୍ଧ୍ୟାରେ କରମସାନୀ ଦଳ କରମା ପରିବେଷଣ କରିଥିଲେ । ଏଥିରେ ଲୁହାଖାନ, କପସିପାଲି, ବାଘ ଝରନ, କଦଳୀ, ଜଲିଆ, ନାଗଫେଣା, ବେହେରା ପାଣି, ପର୍ଲିମାଲ ମହିଳା କରମା ଦଳ, ପୁରୁଷ କରମା ଦଳ ଆଦି ୯ଟି କରମା ଦଳ ଯୋଗ ଦେଇ କରମା ପରିବେଷଣ କରିଥିଲେ । ଆଦିବାସୀ ସାଂସ୍କୃତିକ ପରମ୍ପରା କରମାକୁ ବଞ୍ଚାଇବା ପାଇଁ ଏପରି କରମା ମହୋତ୍ସବ ଆୟୋଜିତ କରାଯାଇଥିଲା ବୋଲି ସର୍ବ ଭାରତୀୟ ବିଞ୍ଝାଲ ସମାଜର ପଞ୍ଚାୟତ ସଭାପତି କଲାକାହ୍ନୁ ବରିହା କହିଛନ୍ତି । କୁନିକୁନି କଳାକାରମାନଙ୍କ ଦ୍ବାରା କରମା ପରିବେଷଣ କରିଥିବା ଗୀତ ଓ ନୃତ୍ୟ ବେଶ୍ ମନଛୁଆଁ ହୋଇପାରିଥିଲା । ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ଆୟୋଜିତ କରମା ମହୋତ୍ସବରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ଜିଲ୍ଲା ସମ୍ପାଦକ ଦୂର୍ଯ୍ୟୋଧନ ବରିହା ଓ ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଗ ନେଇ ଥିବା କରମା ଦଳମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ପଞ୍ଚାୟତ ସଭାପତି କଲାକାହ୍ନୁ ବରିହାଙ୍କ ପ୍ରଚେଷ୍ଟାରେ ପଞ୍ଚାୟତସ୍ତରୀୟ କରମା ମହୋତ୍ସବରେ ପର୍ଲିମାଲ ଗ୍ରାମର ଗ୍ରାମ୍ୟ ସଭାପତି ସୁର୍ଦଶନ ବରିହା, ସମ୍ପାଦକ ଅର୍ଜୁନ ବରିହା, କୋଷାଧ୍ୟକ୍ଷ କ୍ଷିରସିନ୍ଧୁ ବରିହା, ସଦସ୍ୟ ନୀଳମଣି ବରିହା, ଶ୍ରୀଧର ବରିହା, ଚିନ୍ତାମଣି ବରିହା, ଟଙ୍କ ବରିହା, କ୍ଷମାସାଗର ବରିହା, ନୀଳାଧର ବରିହା, ଅଗସ୍ତି ବରିହା, ଦଶମୁ ବରିହା ପ୍ରମୁଖଙ୍କ ସହ ଗ୍ରାମର ପ୍ରତ୍ୟେକ ପରିବାରରୁ ମହିଳା ପୁରୁଷ ଯୋଗ ଦେଇଥିଲେ ।

Leave A Reply

Your email address will not be published.