
ଜୟପାଟଣା, (ଶେଷଦେବ ବେହେରା) : ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ଜୟପାଟଣା ରେଞ୍ଜରେ ବୃକ୍ଷରୋପଣ ଟଙ୍କାକୁ ଅପବ୍ୟବହାର ଅଭିଯୋଗରେ କଳାହାଣ୍ଡି ଭିଜିଲାନ୍ସ ଚାରି ରେଞ୍ଜରେ କାର୍ୟ୍ୟରତ ଥିବା ପାଞ୍ଚ ଜଣ ବନ କର୍ମଚାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ସେମାନେ ହେଲେ ଡେପୁଟି ରେଞ୍ଜର ଶୈଳେନ୍ଦ୍ରୀ ବାଗ, ଫରେଷ୍ଟର ଉମେଶ ରାଉତ, ଦେବରାଜ ସୁନାନୀ, ଫରେଷ୍ଟ ଗାର୍ଡ ଅଶୋକ ସାହୁ ଓ ଲଳିତ ନାଏକ । ସୂଚନା ଅନୁଯାୟୀ ବୃକ୍ଷରୋପଣ ନାଁରେ ସରକାରୀ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଓଡିଶା ଭିଜିଲାନ୍ସ ପକ୍ଷରୁ ଏକ ୨୫ ଜଣିଆ ଅଧିକାରୀ ଦଳ ଅନୁସନ୍ଧାନ କରିଥିଲେ । ରେଞ୍ଜର ବୃକ୍ଷରୋପଣ ସ୍ଥାନ ଗୁଡ଼ିକରେ ଯାଞ୍ଚ କରାଯାଇଥିଲା । ବୃକ୍ଷ ଗଣନା ବେଳେ ସରକାରୀ ଟଙ୍କାକୁ ଅପବ୍ୟବହାର ସହ ଦୁର୍ନୀତି ସାମ୍ନାକୁ ଆସିଥିଲା । ବୃକ୍ଷରୋପଣ ପାଣ୍ଠିର ଟଙ୍କାକୁ ବେନାମୀ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇ ପରବର୍ତ୍ତୀ ସମୟରେ ସେଇ ଟଙ୍କା ଉଠାଣ କରାଯାଇଥିବା ଜଣା ପଡ଼ିଛି । ଆର୍ଥିକ ବର୍ଷ ୨୦୨୩-୨୪ରେ ଚମ୍ପାଚୁଆ -୧ରେ ୧୬ ଶହ ଗଛର ୪୩ ଲକ୍ଷ ୭୫ ହଜାର ୬୩୪ ଟଙ୍କା, ଚମ୍ପାଚୁଆ-୨ରେ ୧୬ ଶହ ଗଛର ୬ ଲକ୍ଷ ୬୭ ହଜାର ୪୪୬ ଟଙ୍କା, ଖମାରପଦର ବଡ଼ହିଲରେ ୮ ଶହ ଗଛର ୧୨ ଲକ୍ଷ ୭୬ ହଜାର ୨୯୧ ଟଙ୍କା, ଖମାରପଦର ଏଏନ୍ଆର୍ରେ ୪ ଶହ ଗଛର ୫ ଲକ୍ଷ ୧୨ ହଜାର ୫୧୯ ଟଙ୍କାକୁ ମିଶାଇ ସର୍ବମୋଟ ୭୯ ଲକ୍ଷ ୫୪ ହଜାର ୬୩୫ ଟଙ୍କା ଅପବ୍ୟବହାର ହୋଇଥିବା ଜଣାପଡିଛି । ଏନେଇ ଭିଜିଲାନ୍ସ ପକ୍ଷରୁ କେସ୍ ନମ୍ବର ୧୯/୨୫ ଦୁର୍ନୀତି ତଥା ସରକାରୀ ଟଙ୍କାକୁ ଅପବ୍ୟବହାର ମାମଲା ରୁଜୁ କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି । ବର୍ତ୍ତମାନ ତଦନ୍ତ ଜାରି ରହିଛି । ଏଠାରେ ପ୍ରକାଶ ଥାଉକି ଗତ କିଛିଦିନ ତଳେ ଜୟପାଟଣା ରେଞ୍ଜକୁ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ତଦନ୍ତ ହୋଇଥିଲା । ଏନେଇ ଫରେଷ୍ଟ ଗାର୍ଡ ଅଶୋକ ସାହୁ ଗିରଫ ହୋଇଥିଲେ ।